ଗଞ୍ଜାମ- ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ସୁନାନ୍ତର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ପ୍ରାୟ ୩୦ ବଖରା ଘର ଜଳିପୋଡି ଛାରଖାର୍ ହୋଇଯାଇଛି । ଘରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି, ଅନ୍ୟାନ୍ୟ ଆସବାବପତ୍ର, ଗଚ୍ଛିତ ଥିବା ଧାନ, ଚାଉଳ, ମୁଗ, ବିରି ଆଦି ଶସ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ଅଧିକାଂଶ ଚାଳଛପର ଘର ଥିବାରୁ ନିଆଁ ଖୁବ୍ ଶୀଘ୍ର ବ୍ୟାପୀ ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିମିଷକ ମଧ୍ୟରେ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ପୁରୁଷୋତମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡି ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ନିଆଁ କିପରି ଲାଗିଲା ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।
ଅନ୍ୟପକ୍ଷରେ ବିପନ୍ନ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଏବଂ ସର୍ବସ୍ୱାନ୍ତ ହୋଇ ସମ୍ପ୍ରତି ଖୋଲା ଆକାଶ ତଳେ ଆଶ୍ରୟ ନେଇଥିବାରୁ ତୁରନ୍ତ ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଯେଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।