ପୁରୀ, ଆଜି ପବିତ୍ର ଶୀଗୁଣ୍ଡିଚା ଯାତ୍ରା । ରତ୍ନବେଦି ଛାଡି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତି । ସକାଳୁ ମଙ୍ଗଳାର୍ପଣ ପରେ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡି ପହଣ୍ଡିରେ ଶ୍ରୀବିଗ୍ରହ ମାନେ ରଥାରୁଢ଼ ହୋଇଥିଲେ । ପ୍ରଥମେ ସୁଦର୍ଶନ ମହାପ୍ରଭୁ ପୂର୍ବାହ୍ନ ୯ଟାରେ ରଥ ଉପରେ ବିରାଜମାନ କରିଥିଲେ । ୧୦ଟା ୧୮ରେ ଶ୍ରୀ ବଳଭଦ୍ର, ୧୦ଟା ୩୦ ରେ ଦେବୀ ସୁଭଦ୍ରା ରଥାରୁଢ଼ ହୋଇଥିଲେ । ଶେଷରେ ଟାହିଆ ହଲାଇ ଝୁଲି ଝୁଲି ସିଂହଦ୍ଵାର ଅତିକ୍ରମ କରି ଦିନ ୧୧ଟା ୪୦ରେ ରଥାରୁଢ଼ ହୋଇଥିଲେ କାଳିଆ ଠାକୁର । ପହଣ୍ଡି ସମୟରେ ଓଡ଼ିଶୀ ନୃତ୍ୟ, ଶିବ ତାଣ୍ଡବ, ହନୁମାନ ନୃତ୍ୟ ପରିବେଷଣ କରି କଳାକାର ମାନେ ସେଠାରେ ଭାକ୍ତିକ ମାହୋଲ ସୃଷ୍ଟି କରିଥିଲେ । ଘଂଟ ଘଂଟା, ହୁଳହୁଳି ହରିବୋଲ ଓ ଜୟ ଜଗନ୍ନାଥ ଧ୍ଵନୀରେ ସିଂହଦ୍ଵାର କମ୍ପି ଉଠିଥିଲା ।
ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ରୋଷ, ହୋମ ପରେ ଅବକାଶ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା । ପରେ ପରେ ଦ୍ଵାରପାଳ ପୂଜା ଓ ବେଶ ଶେଷ ହୋଇଥିଲା । ସକାଳ ଧୂପ, ଗୋପାଳ ବଲ୍ଲଭ ସରିବା ଶ୍ରୀଜୀଉମାନଙ୍କୁ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ସକାଳ ୭ଟା ୩୫ ମିନିଟ୍ ରେ ଶ୍ରୋତ୍ରିୟ ବ୍ରାହ୍ମଣ ମାନେ ତିନି ରଥକୁ ପ୍ରତିଷ୍ଠା ଓ ପୂଜା କରିଥିଲେ । ମଙ୍ଗଳାର୍ପଣ ପରେ ପହଣ୍ଡି ଆରମ୍ଭ ହୋଇଥିଲା । ଜ୍ଵରରୁ ସୁସ୍ଥ ହେବା ପରେ ଆଜି ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରତ୍ନବେଦିରୁ ଜନ୍ମବେଦିକୁ ନବ ଦିନ ବ୍ୟାପୀ ଯାତ୍ରା କରିଛନ୍ତି ଜଗତର ନାଥ ଜଗନ୍ନାଥ ।
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ସହର ଓ ଏହାର ଚତୁପାଶ୍ୱର୍ରେ ୧୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ବରିଷ୍ଠ ଅଧିକାରୀ ମାନେ ଏହାର ତଦାରଖ ଦାୟିତ୍ଵରେ ରହିଛନ୍ତି । ରଥଯାତ୍ରା ସମୟରେ ପୁରୀ ସମୁଦ୍ରରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ସମୁଦ୍ର କୂଳରେ ଚକ୍ରତୀର୍ଥରୁ ଷ୍ଟଲିନ ପର୍ଯ୍ୟନ୍ତ ୫ଟି ଲାଇଫ ଗାର୍ଡ ଷ୍ଟେସନ ସହିତ ଫାଷ୍ଟ ଏଡ ସେଂଟର୍ ଖୋଲାଯାଇଛି । ଏଥି ସହିତ ସମୁଦ୍ର କୂଳରେ ୩୦୦ ଲାଇଫଗାର୍ଡଙ୍କୁ ମୁତୟନ କରାଯାଇଛି ।