ଗଞ୍ଜାମ, ଗୁଣାତ୍ମକ ଶିକ୍ଷାର ବିକାଶ ଓ ପିଲା ମାନଙ୍କୁ ଯୁଗୋପଯୋଗୀ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ହାଇସ୍କୁଲକୁ ରୂପାନ୍ତରିତ କରି ସ୍ମାର୍ଟ ସ୍କୁଲରେ ପରିଣତ କରିଛନ୍ତି । ଯେଉଁଠି ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ପାଠାଗାର ଓ ଲ୍ୟାବ୍ ଭଳି ଅନେକ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇଛି । ଏହା ଏକ ବୈପ୍ଲବିକ ପଦକ୍ଷେପ ସତ, କିନ୍ତୁ ଦୁଃଖର କଥା ହେଉଛି ବ୍ଲକ ସ୍ତରରେ ଶିକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଖାଲି ପଡିଥିବା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପଦବି ଏବଂ ବିଦ୍ୟାଳୟ ଗୁଡିକରେ ପ୍ରଧାନଶିକ୍ଷକ ପଦବି ପୂରଣ କରିବା ଦିଗରେ ସରକାରଙ୍କ ନିଘା ନାହିଁ । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । କେବଳ ପ୍ରଧାନଶିକ୍ଷକ ନୁହଁନ୍ତି ବିଭିନ୍ନ ବିଦ୍ୟାଳୟରେ ପାଠ ପଢାଇବାକୁ ଶିକ୍ଷକଙ୍କର ମଧ୍ୟ ଅଭାବ ରହିଛି । ୩୭୩ଟି ବିଦ୍ୟାଳୟକୁ ରୂପାନ୍ତରଣ କରାଯାଇଥିଲେ ମଧ୍ୟ ମାନବ ସମ୍ବଳ ଅଭାବ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ବର୍ତମାନ ୯ଟି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ବିଇଓ ଏବଂ ୧୬ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବି ଖାଲି ପଡିଛି । ସବୁଠି କାମଚଳା ନୀତିରେ ଶିକ୍ଷକ ଓ ପ୍ରଧାନଶିକ୍ଷକ ମାନେ ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି । ଏଭଳି ପରିସ୍ଥିତିରେ ସମ୍ପୃକ୍ତ ବ୍ଲକ ଅଧିନରେ ରହିଥିବା ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ବ୍ୟବସ୍ଥାକୁ କିଏ ତଦାରଖ କରିବ ଏବଂ ବିଦ୍ୟାଳୟକୁ କିଏ ପରିଚାଳନା କରିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।