ଭୁବନେଶ୍ୱର, ସମ୍ବିଧାନ ଅନୁଯାୟୀ ଲୋକମାନଙ୍କ ପାଖରେ ନିର୍ବାଚିତ ଜନପ୍ରତିନିଧିମାନେ ଉତରଦାୟୀ । ନିର୍ବାଚିତ ଜନପ୍ରତିନିଧିମାନଙ୍କ ପାଖରେ କାର୍ଯ୍ୟପାଳିକା ଅର୍ଥ ବ୍ୟୁରୋକ୍ରାଟସମାନେ ଉତରଦାୟୀ । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଓଡିଶାରେ ଓଲଟା ବ୍ୟବସ୍ଥା ଚାଲିଛି । ଏଠି ନିର୍ବାଚିତ ଜନପ୍ରତିନିଧିମାନେ ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଉଠବସ ହେଉଛନ୍ତି । ବାବା ସାହେବ ଆମ୍ବେଦକରଙ୍କର ସମ୍ବିଧାନର ପରିକଳ୍ପନା ପଛରେ ଯେଉଁ ଭାବନା ଥିଲା ମୁଖ୍ୟମନ୍ତ୍ରୀ ତାକୁ କୁଠାରଘାତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନର ମୁଳ ଭାବନା ବିଷୟରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମ୍ବିଧାନର ଏକ କପି ପଠାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
ଏବେ ମୁଖ୍ୟମନ୍ତ୍ରୀଙ୍କର ଯିଏ ବ୍ୟକ୍ତିଗତ ସହାୟକ ଅଛନ୍ତି ଭିକେ ପାଣ୍ଡିଆନ, ସିଏ ସାରା ରାଜ୍ୟ ବୁଲୁଛନ୍ତି, ସବୁଠି କହି ବୁଲୁଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସିଏ ଆସିଛନ୍ତି ସମୀକ୍ଷା କରିବା ପାଇଁ, ସବୁ ଆଡେ ଜନଶୁଣାଣି ବି କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନରେ ପଚରାଯାଇଥିବା ପ୍ରଶ୍ନରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସେପରି କିଛି ଅଧିକାର ବା ଅନୁମତି ଦେଇନାହାନ୍ତି ଜନଶୁଣାଣି ବା ସମୀକ୍ଷା କରିବା ପାଇଁ ।
ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ କେତେ ଥର ନିଜେ ହେଲିକାପ୍ଟର ବ୍ୟବହାର କରିଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉତର ଦେଉଛି ଯେ ସେ ଆଦୌ ହେଲିକାପ୍ଟରରେ ଗସ୍ତ କରିନାହାନ୍ତି । ଏବେ ବ୍ୟକ୍ତିଗତ ସହାୟକ ଯୁଆଡେ ଯାଉଛନ୍ତି ସବୁ ସ୍ଥାନକୁ ହେଲିକାପ୍ଟର ନେଇକି ଯାଉଛନ୍ତି । କିନ୍ତୁ ସରକାରଙ୍କ ପାଖରେ ଏହାର ଖବର କିପରି ନାହିଁ । ତାହେଲେ କ’ଣ ସେ ଘରୋଇ ହେଲିକାପ୍ଟର ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି ତାହେଲେ ସେ ହେଲିକାପ୍ଟର ଅର୍ଥ କିଏ ବହନ କରୁଛି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କର ଏତେ ଅଣ ଓଡିଆ ଅଫିସର ପ୍ରେମ କାହିଁକି ? କାହିଁକି ମୁଖ୍ୟମନ୍ତ୍ରୀ ରାଜ୍ୟର ନିର୍ବାଚିତ ଓଡିଆ ଲୋକ, ଓଡିଆ ଅଫିସରମାନଙ୍କୁ ଘୃଣା କରୁଛନ୍ତି ? ଆଜି ଦେଶର ରାଷ୍ଟ୍ରପତି ଜଣେ ଓଡିଆ, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଓଡିଆ, ପ୍ରଧାନମନ୍ତ୍ରୀଙ୍କ ପ୍ରିନସପାଲ ସେକ୍ରେଟାରି ଜଣେ ଓଡିଆ, ଦେଶର ସିଏଜି ଜଣେ ଓଡିଆ, ଆରବିଆଇର ଗଭର୍ଣ୍ଣର ଜଣେ ଓଡିଆ । ଆମେ ଓଡିଆ ଲୋକ ଆମର ଯୋଗ୍ୟତା, ସାଧୁତା, ପରିଶ୍ରମ ପାଇଁ ଆମେ ସାରା ବିଶ୍ୱରେ ସମ୍ମାନିତ ହେଉଥିବା ବେଳେ କିନ୍ତୁ ଓଡିଶାରେ ଓଡିଆ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ହତାଦର କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଯାହାର ଲୋକଙ୍କର ସେବା କରିବାର ଇଛା ଥିବ ସେ କେବେ ଦେଖାଇ ହେବ ନାହିଁ । ରାଜ୍ୟରେ, ସାରା ଦେଶରେ ଅନେକ ପ୍ରଶାସନିକ ଅଧିକାରି ଅଛନ୍ତି ଯେଉଁମାନେ ଭଲ କାମ କରୁଛନ୍ତି । ସେମାନେ କେବେ ନିଜର ଏଭଳି ପ୍ରଚାର ପ୍ରସାର କରନ୍ତି ନାହିଁ । ନିଜକୁ କ୍ଷମତାଶାଳୀ ବୋଲି ଦେଖାଇବା ପଛରେ କି ମନ୍ଦ ଉଦ୍ଦେଶ୍ୟ ସେ ମହାଶୟଙ୍କର ଅଛି? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ କାହିଁକି ନିଜର ପ୍ରଚାର ପ୍ରସାର କରୁଛନ୍ତି ତାହା ଅନେକ ପ୍ରଶ୍ନ ଠିଆ କରୁଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ, ଗଣମାଧ୍ୟମ ସହ ମୁଖ୍ୟ ସୁଜିତ ଦାସ ଉପସ୍ଥିତ ଥିଲେ ।