ଭୁବନେଶ୍ୱର, କିଛିଦିନ ହେବ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସକାଳୁଆ ଖୋଲିବା ପାଇଁ ରାଜ୍ୟ ସରକାରଙ୍କଠାରେ ଦାବି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ୧୯ ତାରିଖରେ ରଜ ଛୁଟି ପରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ପାଇଁ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ରାଜ୍ୟର ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ଥିବା ସମସ୍ତ ସ୍କୁଲକୁ ୨୧ରେ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ମହାସଚିବ ଚାରୁଲତା ମହାପାତ୍ର ଏବଂ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ଏବଂ ଅନ୍ୟ ସଦସ୍ୟମାନେ ଦିନ ୧୦ଟା ପରିବର୍ତ୍ତେ ସକାଳୁଆ ସ୍କୁଲ ଖୋଲିବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏକ ପ୍ରେସ୍ବିବୃତ୍ତିରେ ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଏହି କିଛିଦିନ ହେବ ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେୁଛି । ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲଗୁଡ଼ିକରେ ବିଜୁଳି ସଂଯୋଗ ଠିକ୍ ନଥିବା ବେଳେ ସ୍କୁଲ ଛାତଗୁଡ଼ିକରୁ ଅଧିକରୁ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଏହାଦ୍ୱାରା କୁନିକୁନି ପିଲାମାନେ ଅସୁସ୍ଥ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହି ସମସ୍ତ ଘଟଣାକୁ ନଜରରେ ରଖି ଆସନ୍ତା ୨୧ ତାରିଖ ଦିନ ୧୦ ଟା ପରିବର୍ତ୍ତେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଫେଡେରେସନ ପକ୍ଷରୁ ସରକାରଙ୍କଠାରେ ନିବେଦନ କରାଯାଇଛି ।
Related Stories
November 23, 2024