ମାଲକାନଗିରି, ଜିଲ୍ଲା ପ୍ରଶାସନ ଏବଂ ଲୋକ ସେବକ ମଣ୍ଡଳ ତଥା ସମାଜ ପକ୍ଷରୁ ଆଜି ଜିଲ୍ଲାରେ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉପ ଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା କୋର୍ଟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଛନ୍ତି । ଡ଼ଃ ଖେମୁଣ୍ଡୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ଓଡ଼ିଆ ଜାତି ପାଇଁ ଏକ ସଂକଳ୍ପସ୍ନାତ ଓ ଉତ୍ସର୍ଗୀକୃତ ପ୍ରାଣସତା ସହ ସେ ଏକ ଅନୁଷ୍ଠାନ ଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କବି, ଲେଖକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ । ତାଙ୍କୁ ଅନୁସରଣ କରି ଏ ଜାତିର ଇତିହାସ ଲେଖା ଯାଇଥିଲା । ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ସାପ୍ତାହିକ ସମାଜ ଖବରକାଗଜ ପ୍ରକାଶ କରିଥିଲେ । ତାଙ୍କ ନିକଟରେ ଓଡ଼ିଆ ଜାତି ଚିର ଉପକୃତ ରହିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।
ଏହି ଅବସରରେ ସର୍କିଟ ହାଉସ ପ୍ରାଙ୍ଗଣ ରେ ଥିବା ଉତ୍କଳମଣି ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଛି । ଏହି ଅବସରରେ ଉତ୍କଳ ସମ୍ମିଳନୀ ର ଆଜୀବନ ସଦସ୍ୟ ରବୀନ୍ଦ୍ର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ରଞ୍ଜନ ସ୍ୱାଇଁ, ପ୍ରକାଶ ପଟ୍ଟନାୟକ, ରଞ୍ଜନ ମହାନ୍ତି, ବାର ଏସୋସିଏସନ୍ ସଭାପତି ଓ ସଦସ୍ୟଗଣ, ବୁଦ୍ଧିଜୀବୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସ୍ମୃତିଚାରଣ କରିଥିଲେ ।