
ମାଲକାନଗିରି, ପ୍ରତି ବର୍ଷ ପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ସମସ୍ତ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପ୍ରାକପ୍ରସ୍ତୁତି ବିଷୟରେ ସର୍ବସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ଟେବୁଲ ଟପ୍ ଏକ୍ସର୍ସାଇଜ ସଦର ମହକୁମା, ୭ ଟି ବ୍ଲକ ଓ ୨ ଟି ସହରାଂଚଳରେ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ରଖିଛନ୍ତି । ଆମେ ଜାଗ୍ରତ ହୋଇ ପ୍ରସ୍ତୁତ ରହିଲେ ବିପର୍ଯ୍ୟୟକୁ ମୁକାବିଲା କରି ପାରିବା ଏବଂ ଏଥି ନିମନ୍ତେ ଲୋକଙ୍କ ସହଭାଗିତା ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି । ଏହି ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ବିପର୍ଯ୍ୟୟ ସମୟରେ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ, ସହରାଂଚଳ ସ୍ତରରେ କିଭଳି ପ୍ରସ୍ତୁତିକୁ ମଜବୁତ କରିହେବ ଓ ଏହି ପ୍ରସ୍ତୁତି ପାଇଁ କଣ ସବୁ ସମସ୍ୟା ଆସିପାରେ ସେଥିପାଇଁ କଣ ପ୍ରତିକାର ବ୍ୟବସ୍ଥା କରାଯିବା ଉଚିତ, ତାହାର ଉପସ୍ଥାପନା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଭାରତୀୟ ପାଣିପାଗ କେନ୍ଦ୍ରଙ୍କ ସୂଚନା ଅନୁସାରେ ବଙ୍ଗୋପ ସାଗରରେ ଏକ ଘୁର୍ଣିଝଡ ଆସନ୍ତା ୪୮ ଘଂଟାରେ କେନ୍ଦ୍ରୀଭୂତ ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଜିଲ୍ଲାରେ ପବନ ସହିତ ଭୀଷଣ ବର୍ଷ ହେବାର ସମ୍ଭାବନା ରହିଛି । ପ୍ରସ୍ତୁତିରେ ବିଭିନ୍ନ ସୋପାନ ଯେମିତିକି ବିପର୍ଯ୍ୟୟ ପ୍ରାକ ପ୍ରସ୍ତୁତି,ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି ଓ ବିପର୍ଯ୍ୟୟ ପରେ ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିଲା । ମାଲକାନଗିରି, ବାଲିମେଳା ଏନଏସି, ମାଥିଲି, ଖଇରପୁଟ, ପଡ଼ିଆ, ଖଇରପୁଟ, କୋରୁକୋଣ୍ଡା,ଚିତ୍ରକୋଣ୍ଡା, କାଲିମେଳା ଓ ମାଲକାନଗିରି ପୌର ପରିଷଦରେ ଜୁନ ୧୯ ରେ ମକ୍ ଡ୍ରିଲ ଆୟୋଜନ କରାଯିବ । ବିପର୍ଯ୍ୟୟ ପରିଚାଳନା ତାଲିମ କେନ୍ଦ୍ର, ଭୁବନେଶ୍ୱରରୁ ସେକ ସରଫରାଜ ଅହମଦ ଏହାର ପର୍ଯ୍ୟବେକ୍ଷଣ ନିମନ୍ତେ ଜିଲ୍ଲା ଗସ୍ତ କରିଛନ୍ତି ।
ଏହି ମକ୍ ଡ୍ରିଲେରେ ପ୍ରାକ ସୂଚନାର ଯଥା ଶୀଘ୍ର ପ୍ରସାରଣ , ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ, କାର୍ଯ୍ୟରେ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା,ଯନ୍ତ୍ର ଓ ଉପକରଣ ବ୍ୟବହାର ଏବଂ ରିଲିଫ ବଂଟନ ଏବଂ ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ଆଧାରିତ ରହିବ ।
ଏହି ମକଡ୍ରିଲରେ ଓଡ୍ରାଫ କୋରାପୁଟର ଏକ ଦଳ ପୋଡିଆ ବ୍ଲକର ସେବାଶ୍ରମ ସ୍କୁଲ ଠାରେ ତାଙ୍କର କୌଶଳ ପ୍ରଦର୍ଶନ କରି ଲୋକ ମାନଙ୍କୁ ସଚେତନ ଓ ତାଲିମ ପ୍ରଦାନ କରିବେ । ଅଗ୍ନିଶମ ସେବା ବିଭାଗ ସବୁ ଆଶ୍ରୟସ୍ଥଳୀ ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଓ ଲୋକ ମାନଙ୍କୁ ସଚେତନ କରିବେ ବୋଲି ବୈଠକରେ ଆଲୋଚନା ହୋଇଥିଲା । ସେହିପରି ବିପଦକୁ ଏଡ଼ାଇବା ନିମନ୍ତେ ପୂର୍ବରୁ ଜଙ୍ଗଲ ବିଭାଗର ଅନୁମତି ନେଇ ବିପଦଜନକ ସ୍ଥାନ ରେ ଥିବା ଗଛ କାଟି ପାରିବେ ବୋଲି ବୈଠକରେ ସୂଚନା ମିଳିଛି । ବିଭିନ୍ନ ବ୍ଲକ୍ ରେ ମଧ୍ୟ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ବଳଭଦ୍ର ଦୀପ, ଡେପୁଟି କଲେକ୍ଟର, ଶ୍ରୀ ଉମାପ୍ରସାଦ ଦାସଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।