ଖୋର୍ଦ୍ଧା- ଗତକାଲି ସଂନ୍ଧ୍ୟାରେ ଖୋର୍ଦ୍ଧାର ଏକ କ୍ଲିନିକ୍ ରେ ହୋଇଥିବା ଗୁଳିମାଡ଼ ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ଆଜି ଭୋର୍ ରୁ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହି ଗୁଳି ମାଡ଼ରେ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ମାନସ ଦାସ ସମ୍ପ୍ରତି ଚିକିତ୍ସାଧିନ ଅଛନ୍ତି ।
ପ୍ରକାଶ ଥାଉ କି, ରବିବାର ସଂନ୍ଧ୍ୟାରେ ଡ଼ାକ୍ତର ଶ୍ରୀ ଦାସ କ୍ଳିନିକ୍ ରେ ରୋଗୀ ଦେଖୁଥିଲେ । ଏହି ସମୟରେ ବାଇକ୍ ରେ ଆସିଥିବା ଦୁଇ ଦୁର୍ବୃତଙ୍କ ମଧ୍ୟରୁ ଜଣେ କ୍ଲିନିକ୍ ରେ ଜୋରଜବରଦସ୍ତ ପଶି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ତାଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା । ଗୁଳି ଶବ୍ଦ ଶୁଣି ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାମ୍ନାକୁ ଆସିବାରୁ ଦୁର୍ବୃତ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ଗୁଳିଟି ତାଙ୍କ ପେଟରେ ବାଜିଥିଲା । ଏଭଳି ହିଂସାକାଣ୍ଡ ଭିଆଇବା ପରେ ସେମାନେ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ସିସିଟିଭି ଫୁଟେଜ୍ କୁ ଭିତି କରି ଛାନଭିନ୍ ଜାରୀ ରଖିଛି । ତେବେ ଅଦ୍ୟାବଧି ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।
ଅନ୍ୟପକ୍ଷରେ ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ୨୪ ଘଂଟା ମଧ୍ୟରେ ଗିରଫ କରୁ ବୋଲି ଦାବି କରିଛି ଔଷଧ ବ୍ୟବସାୟୀ ସଂଘ । ନଚେତ୍ ଆସନ୍ତା ୧୮ ତାରିଖ ଠାରୁ ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି ।