ମାଲକାନଗିରି,ସବୁବେଳେ ଚର୍ଚ୍ଚାରେ ରହି ଆସିଛି ମାଲକାନଗିରି ଜିଲ୍ଲା ମିଳିତ ଅମଲା ମଞ୍ଚର ଆନ୍ଦୋଳନ । କେତେବେଳେ ରାସ୍ତା ସଫେଇ ତ ଆଉ କେତେବେଳେ ରକ୍ତଦାନ କରି ଦାବି ଉପସ୍ଥାପନ କରିଛନ୍ତି । ଆଜି ଶେଷ ରଜ ଉତ୍ସବ ଅବସରରେ ଏକ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି । ନିଜ ଅଧିକାର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚା”, ପକୁଡ଼ି, କାକରା ଛାଣି ସୁଲଭ ମୂଲ୍ୟରେ ବିକ୍ରି ଆରମ୍ଭ କରିଛନ୍ତି ।
ସୂଚନା ଯୋଗ୍ୟ, ସ୍ନାତକ ଯୋଗ୍ୟତା ଭିତ୍ତିକ ମୂଳଦରମା ୯୩୦୦, ମିଶନ ଗ୍ରେଡ ପେ ୪୨୦୦ ଲେବଲ ୯ ଦାବି କରି ଗତ ୧ ତାରିଖରୁ ମିଳିତ ଅମଲା ମଞ୍ଚ ପକ୍ଷରୁ ସମୂହ ଛୁଟି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ଵ ଦେଉନଥିବାରୁ ଶୁକ୍ରବାର ସକାଳ ୮ ଟାରୁ ୧୦ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚା”, ପକୁଡ଼ି, କାକରା ସୁଲଭ ମୂଲ୍ୟରେ ବିକ୍ରି କରି ଅଭିନବ ଉପାୟରେ ପ୍ରତିବାଦ ଜଣାଇବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି । ଚା” କପ୍ ୨ ଟଙ୍କା, କାକରା ୩ ଟଙ୍କା, ପକୁଡ଼ି ପ୍ଲେଟ୍ କୁ ୫ ଟଙ୍କାରେ ସୁଲଭ ମୂଲ୍ୟରେ ବିକ୍ରି ହେଉଥିବାରୁ ଅମଲାଙ୍କ ନୂତନ ଜଳଖିଆ ଦୋକାନ ଆଗରେ ଶହ ଶହ ସଂଖ୍ୟାରେ ଗ୍ରାହକମାନଙ୍କ ଭିଡ଼ ଲାଗିରହିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜରାସ୍ତାରେ ଅମଲା ଭାଇ ଭଉଣୀମାନେ ଚା”, ପକୁଡ଼ି, କାକରା ବିକ୍ରି ଜାରି ରଖି ଆନ୍ଦୋଳନ ଚାଲୁରହିବ ବୋଲି ଜିଲ୍ଲା ମିଳିତ ଅମଲା ମଞ୍ଚର ଆବାହକ ଶ୍ୟାମସୁନ୍ଦର ନାୟକ, ସଭାପତି ଲାଷ୍ମୀନାରାୟଣ ସେଠି, ସମ୍ପାଦକ ଲଷ୍ମୀଧର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।