ମାଲକାନଗିରି,ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଭୁ ଜଗନ୍ନାଥ, ବଳବଦ୍ର, ମା ସୁଭଦ୍ରାଙ୍କ ରଥଯାତ୍ରା ବହୁ ଆଡମ୍ବରରେ ପାଳନ କରାଯିବ। ଏଥି ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମାଲକାନଗିରି ଉପଜିଲ୍ଲାପାଳ ଡ଼ଃ. ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାରୁ ବାହୁଡା ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳା ସହ କିପରି ନଅ ଦିନ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ ଏବଂ କେଉଁ ବିଭାଗ କିପରି ଭାବେ ଦାୟିତ୍ବ ତୁଳାଇବେ ତାହା ସହ ସ୍ବଚ୍ଛତା, ପାନୀୟଜଳ, ବିଦ୍ୟୁତ୍ ସେବା ଇତ୍ୟାଦି କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା।
ଜିଲ୍ଲାର ମାଲକାନଗିରି ସଦର, ଚିତ୍ରକୋଣ୍ଡା, ବାଲିମେଳା, କରୁକୋଣ୍ଡା, କାଲିମେଳା, ମୋଟୁ, ପଡ଼ିଆ, ମାଥିଲି, ଗୋବିନ୍ଦପାଲ୍ଲୀ, ସାଲିମୀ, ଏମ୍. ଭି.- ୭୯ ଏବଂ ପାଙ୍ଗାମ୍ ରେ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ଦିନ ମଦ ବିକ୍ରୀକୁ ସଂପୂର୍ଣ ଭାବେ ବନ୍ଦ କରାଯିବ। ରାସ୍ତା କୋଠାବାଡ଼ି ବିଭାଗ ଯନ୍ତ୍ରୀଙ୍କୁ ରଥର ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରିବାକୁ କୁହାଯାଇଛି। ତତ୍ ସହ ଘୋଷ ଯାତ୍ରା ପୂର୍ବରୁ ରଥ ଉପରେ କେତେ ଜଣ ପୂଜକ ରଥାରୁଢ଼ ହେବେ, ସେନେଇ ଏକ ତାଲିକା ପ୍ରଶାସନ ଏବଂ ପୋଲିସ ପ୍ରଶାସନକୁ ପ୍ରଦାନ କରିବାକୁ କୁହାଯାଇଛି। ଶ୍ରଦ୍ଧାଳୁମାନେ ନୈବେଦ୍ୟ ଅର୍ପଣ ନିମନ୍ତେ ଏକ ସ୍ବତନ୍ତ୍ର ସ୍ଥାନ ଚୟନ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ରଥ ନିକଟସ୍ଥ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୂନ୍ୟ ସହନଶୀଳ ଅଞ୍ଚଳ ରହିବ। ମନ୍ଦିର ନିକଟସ୍ଥ ସଂକୀର୍ଣ୍ଣ ରାସ୍ତାରେ ଅକସ୍ମାତ ଅଘଟଣକୁ ଏଡାଇବା ପାଇଁ ବିଦ୍ୟୁତ୍ ଖମ୍ବ ଗୁଡିକୁ ସ୍ଥାନାନ୍ତରଣ ପାଇଁ କୁହାଯାଇଛି। ଅବ୍ୟବହୃତ ଟେଲିଫୋନ ଖମ୍ବଗୁଡିକୁ ମଧ୍ୟ ସ୍ଥାନାନ୍ତରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୌର ପରିଷଦକୁ ମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଏବଂ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନର୍ଦ୍ଦମା, ରାସ୍ତା ମରାମତି ସହ ସ୍ବଚ୍ଛତା ବଜାୟ ରଖିବାକୁ କୁହାଯାଇଛି। ବିଭିନ୍ନ ଛକମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳର ବ୍ୟବସ୍ଥା ନିମନ୍ତେ କୁହାଯାଇଛି। ସେହିପରି ଗ୍ରାମାଞ୍ଚଳରେ ପାନୀୟ ଜଳ ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ଏବଂ ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ଅନୁରୂପ ଭାବେ ଦାୟିତ୍ବ ନିର୍ବାହ କରିବା ପାଇଁ କୁହାଯାଇଛି। ଜିଲ୍ଲାର ପ୍ରତ୍ଯେକ ସ୍ଥାନର ରଥଯାତ୍ରାକୁ ଜଣେ ଜଣେ ମାଜିଷ୍ଟ୍ରେଟ ତଦାରଖ କରିବେ। ପ୍ରଶାସନ ଏବଂ ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଶ୍ରଦ୍ଧାଳୁମାନେ ସମ୍ମାନ ଜଣାଇ ନିର୍ଦ୍ଧାରିତ ସମୟରେ ନୀତି ନିର୍ଘଣ୍ଟରେ ସାମିଲ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଡ଼ଃ. ଖେମୁଣ୍ଡୁ ଅନୁରୋଧ କରିଛନ୍ତି।
ସୂଚନା ଥାଉ କି, ମନ୍ଦିର ପ୍ରଶାସନ ଘୋଷ ଯାତ୍ରାର ନୀତିକାନ୍ତି ନିମନ୍ତେ ସମୟ ନିର୍ଦ୍ଧାରଣ କରିଛନ୍ତି। ତଦନୁଯାୟୀ ୧୯ ଜୁନ୍ ସୋମବାର ପୂର୍ବାହ୍ନ ୮ଟା ୨୪ ରୁ ୧୦ ଟା ୦୧ ମଧ୍ୟରେ ନେତ୍ର ଉତ୍ସବ ଓ ନବ ଯୌବନ ଦର୍ଶନ ହେବ ବୋଲି ବୈଠକରେ କୁହାଯାଇଛି । ସେହିପରି ୨୦ ଜୁନ୍ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦ ଟା ୧୬ ରୁ ୧୧ ଟା ୨୭ ମଧ୍ୟରେ ରଥ ପ୍ରତିଷ୍ଠା କରାଯିବ। ପୂର୍ବାହ୍ନ ୨ ଟା ୪୯ ରୁ ଅପରାହ୍ନ ୩ ଟା ୩୭ ମଧ୍ୟରେ ପହଣ୍ଡି ବିଜେ କରାଯିବ। ଅପରାହ୍ନ ୪ ଟା ୦୬ ରୁ ୪ ଟା ୨୫ ମଧ୍ୟରେ ଛେରା ପହଁରା କାର୍ଯ୍ୟକ୍ରମ ରହିଛି। ଘୋଷଯାତ୍ରା ଦିନ ଅପରାହ୍ନ ୪ ଟା ୩୦ ରୁ ୪ ଟା ୩୫ ମଧ୍ୟରେ ରଥ ଟଣା କାର୍ଯ୍ୟକ୍ରମ ରହିଛି।
ସେହିପରି ୨୪ ଜୁନ୍ ଶନିବାର ଦିନ ସନ୍ଧ୍ୟା ୬ ଟା ୫୨ ରୁ ରାତ୍ର ୭ ଟା ୨୮ ମଧ୍ୟରେ ମହାଲକ୍ଷ୍ମୀ ବିଜେ କରିବେ। ୨୮ ଜୁନ୍ ବୁଧବାର ବାହୁଡ଼ା ଯାତ୍ରା ଦିନ ଅପରାହ୍ନ ୨ ଟା ୫୫ ରୁ ୩ ଟା ୪୪ ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ବିଜେ ହେବ। ସେହିପରି ଅପରାହ୍ନ ୪ ଟା ୧୦ ରୁ ୪ ଟା ୩୩ ମଧ୍ୟରେ ଛେରା ପହଁରା କାର୍ଯ୍ୟକ୍ରମ ରହିଛି। ୨୯ ଜୁନ୍ ଗୁରୁବାର ସୁନାବେଶ ସନ୍ଧ୍ୟା ୬ ଟା ୫୫ ରୁ ରାତ୍ରୀ ୭ ଟା ୪୦ ମଧ୍ୟରେ ହେବ। ସେହିପରି ୩୦ ଜୁନ୍ ଶୁକ୍ରବାର ଦିନ ମହାପ୍ରଭୁଙ୍କର ମନ୍ଦିର ପ୍ରବେଶ ରହିଛି।
ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଉପଖଣ୍ଡ ଅରକ୍ଷୀ ଅଧୀକ୍ଷକ ସଚିନ୍ ପଟେଲ, ତହସିଲଦାର ମାଲକାନଗିରି ସୟଦ ସବୀର ସାହା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଡେପୁଟି କଲେକ୍ଟର ଅଶୋକ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।