କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ବ୍ରହ୍ମଗିରିର ବରପୁତ୍ର, ବିଶିଷ୍ଟ ଜନନାୟକ, ଚାଷୀ ମୂଲିଆ ନେତା ତଥା ପୂର୍ବତନ ବ୍ଳକ ଚେଆରମ୍ୟାନ ରାମଚନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଦ୍ବିତୀୟ ରାମଚନ୍ଦ୍ର ସ୍ମାରକୀ ଟି ଟୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ବ୍ରହ୍ମଗିରି ବ୍ଳକର ଗୋରୁଆଳ ହାଇସ୍କୁଲ ପଡ଼ିଆରେ ଫାଇନାଲ ମ୍ୟାଚ୍ ଉଦଯାପିତ ହୋଇଯାଇଛି। ମହାବୀର ସ୍ପୋର୍ଟସ କ୍ଳବ୍,ଗୋରୁଆଳ ଏହାକୁ ଆୟୋଜନ କରିଥିଲେ ଏବଂ ରାମଚନ୍ଦ୍ର ପ୍ରଧାନ ଫାଉଣ୍ଡେସନ ପ୍ରାୟୋଜକ ଥିଲେ।ପ୍ରଥମେ ଟସ୍ ଜିତି ଗୋରୁଆଳ କ୍ରିକେଟ୍ ଟିମ୍ ସମଙ୍ଗ ପଞ୍ଚାୟତ କ୍ରିକେଟ୍ ଟିମକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇ ଥିଲେ।ସମଙ୍ଗ ଦଳ ନିର୍ଦିଷ୍ଟ ୨୦ ଓଭରରେ ୫ ଉଇକେଟ ହରାଇ ୨୬୭ ରନ୍ କରିଥିଲେ।୨୬୮ ରନ୍ ଲକ୍ଷ୍ୟ ରଖି ପରେ ପରେ ଗୋରୁଆଳ କ୍ରିକେଟ ଟିମ୍,୨୧୮ ରନ୍ କରି ଅଲ୍ ଆଉଟ୍ ହୋଇଯଇଥିଲେ ଏବଂ ସମଙ୍ଗ ଦଳ ୫୦ ରନ୍ ରେ ବିଜୟ ଲାଭ କରିଥିଲେ। ବିଜୟୀ ଦଳ ସମଙ୍ଗ ପଞ୍ଚାୟତ କ୍ରିକେଟ୍ ଟିମ୍ କୁ ମୁଖ୍ୟ ଅତିଥି ଶ୍ରୀଜଗନ୍ନାଥ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ହରିହର ହୋତା ଟ୍ରଫି ସହିତ ପୁରସ୍କାର ରାଶି ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ।ରନର୍ସ ଅପ୍ ଦଳ ଗୋରୁଆଳ ପଞ୍ଚାୟତ କ୍ରିକେଟ ଟିମକୁ ସିଲ୍ ସହିତ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ କ୍ରିକେଟ୍ ହେଉଛି ଶରୀର,ମନ ଓ ଚରିତ୍ର କୁ ଶୃଙ୍ଖଳିତ ମାର୍ଗରେ ନେବା ପାଇଁ ଏକ ବଳିଷ୍ଠ ମାଧ୍ୟମ। କ୍ରୀଡା ହେଉଛି ସଂଭ୍ରମତା, ସହନଶୀଳତା,ସମୟାନୁବର୍ତ୍ତିତା,ଶାରୀରିକ ସୁସ୍ଥତା ଏବଂ ସାମାଜିକ ଦାୟିତ୍ୱବୋଧ ର ମୂଳାଧାର। ନିୟମିତ ଅଭ୍ୟାସ , ସାଧନା ଓ ପ୍ରତିଯୋଗିତା ରେ ଉତ୍କର୍ଷ ପ୍ରଦର୍ଶନ ହଁ କ୍ରୀଡାକୁ ସ୍ମରଣୀୟ କରିଥାଏ।ଅନ୍ୟତମ ସମ୍ମାନିତ ଅତିଥି ରୂପେ ସାହିତ୍ୟିକ ତଥା ଗୀତିକାର ବଦ୍ରି ମିଶ୍ର, କ୍ରିକେଟ୍ କୋଚ୍ ଏବଂ ପୂର୍ବତନ ରଣଜୀ ଟ୍ରଫି ଖେଳାଳୀ ଡକ୍ଟର ବିମଳ ପ୍ରସାଦ ମହାନ୍ତି, କ୍ରୀଡା ଶିକ୍ଷକ ଗଙ୍ଗାଧର ପ୍ରଧାନ ପ୍ରମୁଖ ଯୋଗଦେଇ ରାମଚନ୍ଦ୍ର ପ୍ରଧାନ ଙ୍କ ଭଳି ଜଣେ ମହାନ ବ୍ୟକ୍ତିଙ୍କ ସ୍ମୃତିରେ ଆୟୋଜିତ ଏହି ବ୍ଳକ୍ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ନିମନ୍ତେ ଆୟୋଜକ ଅନୁଷ୍ଠାନ ମହାବୀର ସ୍ଫୋର୍ଟିସ କ୍ଳବ୍ ଏବଂ ପ୍ରାୟୋଜକ ଅନୁଷ୍ଠାନ ରାମଚନ୍ଦ୍ର ପ୍ରଧାନ ଫାଉଣ୍ଡେସନ ର ପ୍ରଚେଷ୍ଟା କୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ରାମଚନ୍ଦ୍ର ଫାଉଣ୍ଡେସନ ସମ୍ପାଦକ ଆଡଭୋକେଟ୍ ଦିଗମ୍ବର ବେହେରା ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତାମତ ରଖି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ରାମଚନ୍ଦ୍ର ପ୍ରଧାନ ଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଶିଷ୍ଟ ସମାଜସେବୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ କ୍ରିକେଟ୍ କୋଚ୍ କେଶବ ଚନ୍ଦ୍ର ସାମନ୍ତ ସିଂହାର ଏଥିରେ ଅଧ୍ୟକ୍ଷତା କରିଥିଲେ। ମହାବୀର ସ୍ପୋର୍ଟସ କ୍ଳବ୍ ର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହିତ ପରିଚାଳନା କରିଥିଲେ।୨୪ ଟି ପଞ୍ଚାୟତ ରୁ ୨୪ କ୍ରିକେଟ ଦଳ ଏଥିରେ ଭାଗ ନେଇଥିଲେ।ଗତ ୨୬ ମେ ରୁ ଏହି ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ ହୋଇଥିଲା।ଚାରି ଜଣ ଅମ୍ପାୟାର ଓ ସାତ ଜଣ ଘୋଷକ ଏଥିରେ ଅଂଶଗ୍ରହଣ କରିଥିଲେ। ହଜାର ହଜାର କ୍ରିକେଟ ପ୍ରେମୀ ଏହି ଚିତ୍ତାକର୍ଷକ ଟୁର୍ଣ୍ଣାମେଣ୍ଟକୁ ମନଭରି ଉପଭୋଗ କରିଥିଲେ।ଭାଷ୍ୟକାର ତପନ,ନାରାୟଣ ସାହୁ, କିଶୋର କୁମାର ଓ ମନୋଜ କୁମାର ,ବେଷ୍ଟ ସ୍ଖୋରର ଚିତ୍ତରଞ୍ଜନ ସ୍ବାଇଁ,ଅମ୍ପାୟାର ଗଗନ ବିହାରୀ ଦଳାଇ,ସହଦେବ ଜେନା, ପ୍ରଦୀପ ପଲାଇ, ସଞ୍ଜୟ ଲେଙ୍କା,ମନୀଷ ପ୍ରଭୃତି ଙ୍କୁ ସମ୍ମାନିତ କରାଯାଇଥିଲା। ବେଷ୍ଟ ବୋଲର ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ଏବଂ ମ୍ୟାଚ ଅଫ୍ ଦି ସିରିଜ ଭାବେ ସିଦ୍ଧାର୍ଥ ପରିଡ଼ାଙ୍କୁ କପ୍ ସହିତ ତିନି ହଜାର,ମ୍ୟାନ ଅଫ ଦି ମ୍ୟାଚ ଭାବେ କବିଙ୍କୁ କପ୍ ସହିତ ଏକ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା।
Related Stories
November 22, 2024