ଜଟଣୀ- ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଗଙ୍ଗପଡ଼ାରେ ଜଣେ ବୃଦ୍ଧା ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇଦେବାରେ ପୋଡି ହୋଇ ତାଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧାଙ୍କ ନାମ ନୟନା ପରିଡ଼ା । ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଛି । ୬୫ ବର୍ଷିୟା ନୟନା ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଜଟଣୀ ଥାନା ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ତାଙ୍କ ପୁଅ ବୋହୂଙ୍କ ପାଖରେ ରହୁଥିଲେ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଘରେ କେହି ନଥିବା ବେଳେ ପାରିବାରିକ ଅଶାନ୍ତିକୁ ନେଇ ମାନସିକ ଭାରସାମ୍ୟ ହରାଇ ସେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।