
ମାଲକାନଗିରି, ୨୦୧୬ରେ ଦେଶର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ରେଳ ପଥ ସଂଯୋଗୀକରଣ ପାଇଁ ଅନେକ ନୂଆ ପ୍ରକଳ୍ପର ଘୋଷଣା କରିଥିଲେ କେନ୍ଦ୍ର ସରକାର। ତା ଭିତରେ ରହିଛି ଜୟପୁର-ମାଲକାନଗିରି ପ୍ରକଳ୍ପ। ଘୋଷଣା ପରଠାରୁ ପ୍ରତିବର୍ଷ ଏହି ପ୍ରକଳ୍ପ ପାଇଁ ରେଳ ବଜେଟରେ ବ୍ୟୟ ବରାଦ ହୋଇ ଆସୁଛି।କିନ୍ତୁ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ଆଜିଯାଏ ଇଞ୍ଚେହେଲେ ବି କାମ ଆରମ୍ଭ ହୋଇପାରିଲା ନାହିଁ। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ପ୍ରକଳ୍ପକୁ ନେଇ ୨୦୧୬ ଅକ୍ଟୋବର ୧୧ରେ କେନ୍ଦ୍ର ରେଳ ବିଭାଗ ଓ ରାଜ୍ୟ ସଡ଼କ ପରିବହନ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ମାଗଣା ଜମି ସାଙ୍ଗକୁ ପ୍ରକଳ୍ପ ଖର୍ଚ୍ଚର ଅଧା ରାଜ୍ୟ ସରକାର ବହନ କିରିବେ ବୋଲି ଚୁକ୍ତି କରିଥିଲେ। ସେତେବେଳେ ଜୟପୁର-ମାଲକାନଗିର ପ୍ରକଳ୍ପ ପାଇଁ ୨୭୦୦ କୋଟିର ଖର୍ଚ୍ଚ ଅଟକଳ କରାଯାଇଥିଲା। ଘୋଷଣା ପରଠୁ ମୋଦି ସରକାର ସବୁ ରେଳ ବଜେଟରେ ଏହି ପ୍ରକଳ୍ପ ପାଇଁ ବ୍ଯୟ ବରାଦ କରିଆସୁଛନ୍ତି।
୨୦୧୭-୧୮ ବଜେଟରେ ମାଲକାନଗିରି ପାଇଁ ୭୯କୋଟି ବୟ ବରାଦ ହୋଇଥିଲା। ସେହିପରି ୨୦୧୮-୧୯ରେ ମାଲକାନଗିରି ପାଇଁ ୯୫କୋଟି, ୨୦୧୯-୨୦ ରେ ମାଲକାନଗିରି ପାଇଁ ୭୦ କୋଟି , ୨୦୨୦-୨୧ରେ ମାଲକାନଗିରି ପାଇଁ ୩୩ କୋଟି , ୨୦୨୧-୨୨ରେ ମାଲକାନଗିରି ପାଇଁ ୨୮କୋଟି, ୨୦୨୨-୨୩ରେ ଜୟପୁର-ମାଲକାନଗିରି ପାଇଁ ୧୩.୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। କିନ୍ତୁ, ଜମି ଅଧିଗ୍ରହଣ ହୋଇନପାରିବାରୁ କିଛି ବି ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହିଛି । ଜମି ଅଧିଗ୍ରହଣ ପାଇଁ ୬ ବର୍ଷରେ ୮ ଜଣ ଙ୍କୁ ପ୍ରକଳ୍ପର ଭୂ ଅର୍ଜନ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଥିଲା । ତଥାପି ଫଳ ଶୂନ। ଜିଲ୍ଲାର ବିକାଶ ପ୍ରତି କାହିଁକି ଏତେ ଉଦାସୀନ ରାଜ୍ୟ ସରକାର। କୁଆଡ଼େ ଗଲା ମାଗଣା ଜମି ଯୋଗାଇବା ନେଇ ବିଜେଡି ସରକାରଙ୍କ ବାହାସ୍ଫୋଟ। ଆଉ କେତେ ବର୍ଷ ଯାଏ ଖର୍ଚ୍ଚ ନହୋଇ ଫେରିଯାଉଥିବା ପ୍ରକଳ୍ପ ପାଇଁ ବରାଦ ହେଉଥିବା ବଜେଟ। କେବେ ପୂରଣ ହେବ ମାଲକାନଗିରି ବାସୀଙ୍କ ରେଳପଥ ସ୍ବପ୍ନ।