ମାଲକାନଗିରି, ହୁକ୍ ପକାଇ ବିଦ୍ୟୁତ ଚୋରି କରିବା ମାଲକାନଗିରି ଉପକାରାଗାର କର୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି । ଜରିମାନା ବାବଦକୁ ୬ ଲକ୍ଷ ୨୯ ହଜାର ୧୪୦ ଟଙ୍କା ଜରିମାନା ପୈଠ କରିବା ପାଇଁ ଜୟପୁର ଟିପିଏସଓଡିଏଲ୍ ଭିଜିଲାନ୍ସ ଆଣ୍ଡ ଏନଫୋର୍ସମେଂଟ ସେଲ୍ ନିର୍ବାହୀ ଯନ୍ତ୍ରୀ ଉପକାରାଗାର କର୍ତୃପକ୍ଷଙ୍କୁ ଚିଠି କରିଛନ୍ତି । କେବଳ ଜରିମାନା ନୁହେଁ, ୭ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ମଧ୍ୟ ଚିଠି କରାଯାଇଛି ।
ସୂଚନା ଅନୁଯାୟୀ, ମାଲକାନଗିରି ଉପକାରାଗାରରେ ୨୦ କିଲୋୱାଟ୍ ବିଦ୍ୟୁତ ବ୍ୟବହାର ପାଇଁ ନିୟମ ରହିଛି । କିନ୍ତୁ, ଉପକାରାଗାର କର୍ତୃପକ୍ଷ ହୁକ୍ ପକାଇ ଅନ୍ୟ ଏକ ବାଟରେ କାରାଗାର ଭିତରକୁ ବିଦ୍ୟୁତ ନେଇଥିଲେ । ନିୟମ ଅନୁସାରେ, କିଛି ବିଦ୍ୟୁତ ବ୍ୟବହାର କରୁଥିବା ବେଳେ ଚୋରାରେ ମଧ୍ୟ ବିଦ୍ୟୁତ ବ୍ୟବହାର କରୁଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଟିପିଏସଓଡିଏଲ୍ ଭିଜିଲାନ୍ସ ଆଣ୍ଡ ଏନଫୋର୍ସମେଂଟ ସେଲ୍ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ଟିମ୍ ଗତ ୧୮ ତାରିଖ ମାଲକାନଗିରି ଉପକାରଗାର ଭିତରେ ଯାଂଚ୍ କରିଥିଲେ । ଉପକାରାଗାର କର୍ତୃପକ୍ଷ ହୁକ୍ ପକାଇ ବିଦ୍ୟୁତ ବ୍ୟବହାର କରୁଥିବା ନେଇ ଏନଫୋର୍ସମେଂଟ ଟିମ୍ ଦେଖିବାକୁ ପାଇଥିଲେ । ଉପକାରାଗାରରେ ଚୋରାରେ ୧୫.୨୫ କିଲୋୱାଟ ବିଦ୍ୟୁତ ବ୍ୟବହାର କରୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ । ଏନେଇ ଉପକାରାଗାରକୁ ୬,୨୯,୧୪୦ ଟଙ୍କା ଜରିମାନା ଦେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏଥିସହ ଚିଠି ପାଇବାର ୭ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ କାରାଗାର ଅଧୀକ୍ଷକଙ୍କୁ ଚିଠି କରାଯାଇଥିବା ଜଣାପଡ଼ିଛି ।