
ମାଲକାନଗିରି, ହୁକ୍ ପକାଇ ବିଦ୍ୟୁତ ଚୋରି କରିବା ମାଲକାନଗିରି ଉପକାରାଗାର କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। ଜରିମାନା ବାବଦକୁ ୬ ଲକ୍ଷ ୨୯ ହଜାର ୧୪୦ ଟଙ୍କା ଜରିମାନା ପୈଠ କରିବା ପାଇଁ ଜୟପୁର ଟିପିଏସଓଡିଏଲ୍ ଭିଜିଲାନ୍ସ ଆଣ୍ଡ ଏନଫୋର୍ସମେଣ୍ଟ ସେଲ୍ ନିର୍ବାହୀ ଯନ୍ତ୍ରୀ ଉପକାରାଗାର କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି। କେବଳ ଜରିମାନା ନୁହେଁ, ୭ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ମଧ୍ୟ ଚିଠି କରାଯାଇଛି।
ସୂଚନା ଅନୁଯାୟୀ, ମାଲକାନଗିରି ଉପକାରାଗାରରେ ୨୦ କିଲୋୱାଟ୍ ବିଦ୍ୟୁତ ବ୍ୟବହାର ପାଇଁ ନିୟମ ରହିଛି। କିନ୍ତୁ, ଉପକାରାଗାର କର୍ତ୍ତୃପକ୍ଷ ହୁକ୍ ପକାଇ ଅନ୍ୟ ଏକ ବାଟରେ କାରାଗାର ଭିତରକୁ ବିଦ୍ୟୁତ ନେଇଥିଲେ। ନିୟମ ଅନୁସାରେ, କିଛି ବିଦ୍ୟୁତ ବ୍ୟବହାର କରୁଥିବା ବେଳେ ଚୋରାରେ ମଧ୍ୟ ବିଦ୍ୟୁତ ବ୍ୟବହାର କରୁଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଟିପିଏସଓଡିଏଲ୍ ଭିଜିଲାନ୍ସ ଆଣ୍ଡ ଏନଫୋର୍ସମେଣ୍ଟ ସେଲ୍ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ଟିମ୍ ଗତ ୧୮ ତାରିଖ ମାଲକାନଗିରି ଉପକାରଗାର ଭିତରେ ଯାଞ୍ଚ କରିଥିଲେ। ଉପକାରାଗାର କର୍ତ୍ତୃପକ୍ଷ ହୁକ୍ ପକାଇ ବିଦ୍ୟୁତ ବ୍ୟବହାର କରୁଥିବା ନେଇ ଏନଫୋର୍ସମେଣ୍ଟ ଟିମ୍ ଦେଖିବାକୁ ପାଇଥିଲେ। ଉପକାରାଗାରରେ ଚୋରାରେ ୧୫.୨୫ କିଲୋୱାଟ ବିଦ୍ୟୁତ ବ୍ୟବହାର କରୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ। ଏନେଇ ଉପକାରାଗାରକୁ ୬,୨୯,୧୪୦ ଟଙ୍କା ଜରିମାନା ଦେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିସହ ଚିଠି ପାଇବାର ୭ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ କାରାଗାର ଅଧୀକ୍ଷକଙ୍କୁ ଚିଠି କରାଯାଇଥିବା ଜଣାପଡ଼ିଛି।