ଭୁବନେଶ୍ୱର, ସାରା ରାଜ୍ୟରେ ତାତିର ରାଜୁତି ଚାଲିଛି । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ସକାଳୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ଖରାର ପ୍ରକୋପ କମୁନାହିଁ । ତା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଦିନ ବେଳା ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଗତ କିଛି ଦିନ ଧରି ଏଭଳି ସ୍ଥିତି ଲାଗି ରହିଥିବା ବେଳେ ସୋମବାର କିନ୍ତୁ ଅଧିକ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ସୋମବାର ଦିନ ସାଢେ ୨ ଟା ସୁଦ୍ଧା ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ୪୫.୩ ଡ଼ିଗ୍ରୀ ସହ ସମ୍ବଲପୁର ସର୍ବାଧିକ ଉତପ୍ତ ସହର ପାଲଟିଥିବା ବେଳେ ରାଜଧାନୀବାସୀ ଆଜି ୪୩.୮ଡ଼ିଗ୍ରୀ ଖରାରେ ସିଝିଛନ୍ତି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୫.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ହୀରାକୁଦ ରେ ୪୪. ୪ ଡ଼ିଗ୍ରୀ , ଭୁବନେଶ୍ୱରରେ ୪୩.୮ଡ଼ିଗ୍ରୀ , ଝାରସୁଗୁଡାରେ ୪୨.୪ ଡ଼ିଗ୍ରୀ , କେନ୍ଦୁଝରରେ ୪୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ ୩୯ ଡ଼ିଗ୍ରୀ , ବାଲେଶ୍ୱରରେ ୩୭.୪ ଡ଼ିଗ୍ରୀ , ପୁରୀରେ ୩୬.୪ ଡ଼ିଗ୍ରୀ , ଗୋପାଳପୁରରେ ୩୪.୬ ଡ଼ିଗ୍ରୀ ଓ ପାରାଦୀପରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୫ଦିନ ଯାଏଁ ରାଜ୍ୟରେ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ଏହି ୫ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।