ଗଞ୍ଜାମ, ଗୋପାଳପୁର ସ୍ଥିତ ଏକ ପେଟ୍ରୋଲ ପମ୍ପର ମ୍ୟାନେଜର ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ନେଇ ଏହାର ମାଲିକ ଥାନାରେ ଏତଲା କରିଛନ୍ତି । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁଯାୟୀ, ପ୍ରମୋଦ କୁମାର ପାଢୀଙ୍କ ଗୋପାଳପୁର ଠାରେ ପ୍ରମୋଦ କିଶାନ ସେବାକେନ୍ଦ୍ର ତଥା ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପ ରହିଛି । ସେଠାରେ ଧରମପୁରର ଧିରେନ କୁମାର ସେଠୀ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସେ ପ୍ରତ୍ୟେକ ଦିନ କାରବାର ହେଉଥିବା ଟଙ୍କା ବ୍ୟାଙ୍କରେ ଜମା କରୁଥିଲେ । ଗତ ମାର୍ଚ୍ଚ ମାସ ହୋଲି ସମୟରେ ତିନି ଦିନ ବ୍ୟାଙ୍କ ଛୁଟି ରହିଥିଲା । ଏହି ତିନି ଦିନରେ ୮ ଲକ୍ଷ ୩୮ ହଜାର ଟଙ୍କା ବ୍ୟବସାୟ ହୋଇଥିଲା । ଧିରେନ ସେହି ଟଙ୍କା ବ୍ୟାଙ୍କରେ ଜମା କରିବା ବଦଳରେ ନିଜ ପାଖରେ ରଖିଥିଲେ । ପେଟ୍ରୋଲ ପମ୍ପ ମାଲିକ ପ୍ରମୋଦ ଟଙ୍କା ସମ୍ବନ୍ଧରେ ଧିରେନଙ୍କୁ ପଚାରିବାରେ ସେ ଅଳ୍ପ କିଛି ଦିନ ମଧ୍ୟରେ ସମସ୍ତ ଟଙ୍କା ବ୍ୟାଙ୍କରେ ଜମା କରିଦେବେ ବୋଲି କହିଥିଲେ । ଏପରିକି ଚଳିତ ମାସ ୫ ତାରିଖ ସୁଦ୍ଧା ଟଙ୍କା ଫେରାଇବେ ବୋଲି ଲିଖିତ ପ୍ରତିଶୃତି ମଧ୍ୟ ଦେଇଥିଲେ । ଏହା ସତ୍ବେ ଧିରେନ ସେହି ଟଙ୍କା ବ୍ୟାଙ୍କରେ ଜମା କରିନଥିଲେ କିମ୍ବା ପ୍ରମୋଦଙ୍କୁ ଫେରାଇ ନଥିଲେ । ବର୍ତମାନ ସେ ଧରାଛୁଆଁ ଦେଉନଥିବା ବେଳେ ଫୋନ୍ ମଧ୍ୟ ରିସିଭ୍ କରୁନାହାଁନ୍ତି । ଧିରେନ ଟଙ୍କା ହଡ଼ପ କରିଥିବା ନେଇ ପ୍ରମୋଦ ଗୋପାଳପୁର ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତି କରି ପୋଲିସ କେସ୍ ନଂ ୧୯୦/୨୩ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ।