ବାଲେଶ୍ଵର, ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ଆଜି ପୁରିଛି ୧୦ ଦିନ । ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆଜି ଠାରୁ ବାହାନଗାରେ ତିନି ଦିନିଆ ସର୍ବଧର୍ମ ପ୍ରାର୍ଥନା ସଭା, ସମୂହ ଶ୍ରଦ୍ଧାଞ୍ଜଳି, ଶୁଦ୍ଧି କ୍ରିୟା ସହିତ ମୁଣ୍ଡନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବାହାନଗା ହାଇସ୍କୁଲ ପାଖ ପଡିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଦୁର୍ଘଟଣାରେ ଜୀବନ ହାରିଥିବା ଯାତ୍ରୀଙ୍କ ଆତ୍ମାର ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଏହି ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସୋର ଅଂଚଳବାସୀ ଓ ବାଲେଶ୍ଵର ସାମାଜିକ ସଂଗଠନର କର୍ମକର୍ତା ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।
ପ୍ରକାଶ ଥାଉକି, ଗତ ୨ ତାରିଖ ସଂନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଅଦ୍ୟାବଧି ସରକାରୀ ଭାବେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ପରେ ହଜାରେରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ । ଦୁର୍ଘଟଣାରେ ମୋଟ୍ ତିନୋଟି ଟ୍ରେନ୍ ସାମିଲ୍ ଥିଲା । ତନ୍ମଧ୍ୟରେ ରହିଥିଲା ଦୁଇଟି ଏକ୍ସପ୍ରେସ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍ ।