-
ଭୀମକୁଣ୍ଡକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବ : ଆଦିବାସୀ ବିକାଶ ସମିତି ଛାତ୍ରଛାତ୍ରୀଙ୍କ ପାଠପଢା ଖର୍ଚ୍ଚ ସରକାର ବହନ କରିବେ ଏବଂ ୧୭୫ କୋଟି ଟଙ୍କା ବ୍ୟୟରେ ସମସ୍ତ ପ୍ରମୁଖ ସହରରେ ଡ୍ରିମ ଫ୍ରମ ଟ୍ୟାପ କାର୍ଯ୍ୟକାରୀ ହେବା ନେଇ ଘୋଷଣା
କେନ୍ଦୁଝର, ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ ଆଜି ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ଶନିବାର ଦିନ ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଖଣି ସମୃଦ୍ଧ ବଡ଼ବିଲ୍ର ପ୍ରଦୂଷଣ ଓ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ୧୪୦୦ କୋଟି ଟଙ୍କାର ବଡ଼ବିଲ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ କରାଯିବା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ବୋଲି ପାଣ୍ଡିଆନ୍ ସୂଚନା ଦେଇଛନ୍ତି । ପ୍ରଥମେ ପାଟଣା ବ୍ଲକର ଭୀମକୁଣ୍ଡକୁ ୫-ଟି ସଚିବ ଯାଇ ସେଠାରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡିକର ସମୀକ୍ଷା କରିବା ଅବସରରେ ଭୀମକୁଣ୍ଡକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବ ବୋଲି ଘୋଷଣା କରିଥିଲେ । ବିଭିନ୍ନ ମନ୍ଦିର ଏବଂ ମସଜିଦର ପାରିପାର୍ଶ୍ଵିକ ବିକାଶର ଅନୁରୋଧ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିଥିଲେ । ଏହାପରେ ୫-ଟି ସଚିବ ଚମ୍ପୁଆ ଯାଇ ଚମ୍ପୁଆ ଏନଏସି ସ୍ଥିତ ଜଳ ବିଶୋଧନାଗାର (ଡବ୍ଲୁଟିପି) ପରିଦର୍ଶନ କରିଥିଲେ । ଏହାବ୍ୟତୀତ“ଗ୍ରାମୀଣ ମେଗା ପାଇପ୍ ଜଳ ଯୋଗାଣ”ପ୍ରକଳ୍ପ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ ହେଉଥିବା ଅବଗତ ହୋଇଥିଲେ । ଏହାପରେ ସେ ନେହେରୁ ଷ୍ଟାଡିୟମ୍ରେ ଏକ ସ୍ଥାନୀୟ ସମାବେଶକୁ ସମ୍ବୋଧିତ କରିଥିଲେ । ସେଠାରେ ଫ୍ଲଡ୍ ଲାଇଟ୍ର ବ୍ୟବସ୍ଥା ଆଗାମୀ ୭ ଦିନ ମଧ୍ୟରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ପାନୀୟ ଜଳ ଏବଂ କୃଷକମାନଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ସେ ଆଶ୍ଵାସନା ଦେଇଥିଲେ । ସେଠାରୁ ୫-ଟି ସଚିବ ବଡ଼ବିଲ୍ ଗସ୍ତ କରି ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଏନ.ଆର.ସି. (ପୁଷ୍ଟିକର ପୁନର୍ବାସ କେନ୍ଦ୍ର)ଏବଂ ଡାଇଲିସିସ୍ ସେଂଟର କାର୍ଯ୍ୟଗୁଡିକର ତଦାରଖ କରିଥିଲେ । ଏହାପରେ ଯୋଡ଼ା ବ୍ଲକର ସେରେଣ୍ଡା ପରିଦର୍ଶନ କରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ଆଦିବାସୀ ବିକାଶ ସମିତିର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ ଏବଂ ଏଣିକି ଆଦିବାସୀ ବିକାଶ ସମିତିର୯୦୦ ଛାତ୍ରଛାତ୍ରୀଙ୍କ ପାଠପଢା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ । ଏହାପରେ ଯୋଡ଼ା ଫ୍ଲାଇଓଭର ସ୍ଥଳୀରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡିକର ଅଗ୍ରଗତିର ସମୀକ୍ଷା ସହ ଯୋଡ଼ାଠାରେ ଜରାଶ୍ରମକୁ ପରିଦର୍ଶନ କରି ଅନ୍ତେବାସୀଙ୍କ ମଧ୍ୟାହ୍ନ ଭୋଜନରେ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ନାଗରିକଙ୍କୁ ଯତ୍ନର ଅଧିକ ଆବଶ୍ୟକତା ପଡୁଥିବାରୁ ସୁବିଧାର ସମ୍ପ୍ରସାରଣ ଏବଂ ଅଧିକ ଅନ୍ତେବାସୀଙ୍କ ରହଣୀ ଲାଗି ବ୍ୟବସ୍ଥା ଲାଗି ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୫-ଟି ସଚିବ କାନ୍ପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି ଆକଳନ ସାଙ୍ଗକୁ ଜାତୀୟ ରାଜପଥ ଜଡ଼ିତ କାର୍ଯ୍ୟଗୁଡିକର ସମୀକ୍ଷା କରିଥିଲେ । ସେଠାରୁ କେନ୍ଦୁଝର ସହର ସ୍ଥିତ ଓଏସଏମଇ କମ୍ପେ୍ଲକ୍ସକୁ ଯାଇ ସେଠାରେ ଏକତ୍ରିତ ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସମ୍ବୋଧିତ କରି ମିଶନ ଶକ୍ତି ପାଇଁ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ ରହିଥିବାର ଆଶ୍ଵାସନା ଦେଇଥିଲେ । ଏହାପରେ ସେ ଧରଣୀଧର ବିଶ୍ଵବିଦ୍ୟାଳୟ ନିକଟରେ ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସଂଗଠନର ସଦସ୍ୟଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ । ସରକାରୀ ବ୍ୟବସ୍ଥା ମୁତାବକ ସମସ୍ୟାଗୁଡିକର ସମାଧାନ ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୫-ଟି ସଚିବ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ‘ମିଶନ ଶକ୍ତି’ କାଫେ ପରିଦର୍ଶନ କରିଥିଲେ । ଉନ୍ନତମାନର ଖାଦ୍ୟ ବିତରଣ ଉଦ୍ୟମ ଜାରି ରଖିବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ । ସେଠାରୁ ସେ କେନ୍ଦୁଝର ଅଡିଟୋରିୟମରେ ପ୍ରାୟ ୧ ହଜାର ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବୋଧିତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ବିକାଶ ହେବ ବୋଲି ସେ କହିଥିଲେ । ସେଠାରୁ ୫-ଟି ସଚିବ ସ୍ଥାନୀୟ ହ୍ୟାଣ୍ଡବଲ୍ ଷ୍ଟାଡିୟମ୍ ପରିଦର୍ଶନରେ ଯାଇ ତାଲିମ୍ ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଏବଂ ଉତ୍ସର୍ଗୀକୃତତାକୁ ଦେଖି ଖୁସିବ୍ୟକ୍ତ କରିଥିଲେ ।
ପରେପରେ ୫-ଟି ସଚିବ ବଳଦେବଜୀଉ ମନ୍ଦିର ପରିଦର୍ଶନ ସହ ମନ୍ଦିର ଏବଂ ପରିସରର ନବୀକରଣ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ ଏବଂ ପୁରୋହିତମାନଙ୍କ ସହ ଆଲୋଚନା କରିଥିଲେ । ଏହା ବ୍ୟତୀତ ସେ ବଡ଼ଦାଣ୍ଡରେ ଚାଲିଥିବା ବିକାଶ କାର୍ଯ୍ୟ ଏବଂ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେଠାରୁ ୫-ଟି ସଚିବ ହାଡ଼ବନ୍ଧ ଜଳାଶୟ ପରିଦର୍ଶନରେ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ସଚିବ ଭିନିଲ୍ କ୍ରୀଷ୍ଣା ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ଥିଲେ ।