ଭୁବନେଶ୍ୱର, ମିଶନ୍ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଏସଏଚଜିମାନେ ଓଡିଶାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବଡ ପରିବର୍ତନ ଆଣିଛନ୍ତି । ସେମାନେ ଭାରତ ଏବଂ ବିଶ୍ୱ ପାଇଁ ସଫଳ ମହିଳା ଏସଏଚଜି ଆନ୍ଦୋଳନର ଉଜ୍ଜ୍ୱଳ ଉଦାହରଣ ପାଲଟିଥିବାବେଳେ ରାଜ୍ୟର ବିଜେପି ନେତୃତ୍ୱ କିନ୍ତୁ ଏହାକୁ ସହ୍ୟ କରିପାରୁ ନାହାନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର ।
ଶନିବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ୬ ଲକ୍ଷ ମହିଳା ଏସଏଚଜିରେ ପ୍ରାୟ ୭୦ ଲକ୍ଷ ମହିଳାଙ୍କ ସହିତ ମିଶନ୍ ଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି ଯାହା କି ଓଡିଶାର ମହିଳାମାନଙ୍କୁ ରୋଷେଇ ଘରର ଚାରି କାନ୍ଥ ଅତିକ୍ରମ କରାଇ ସମାଜ ପରିବର୍ତନକାରୀରେ ପରିଣତ ହୋଇପାରିଛି । ଏହା ସତ୍ୱେ ଓଡିଶା ବିଜେପି ନେତାମାନେ ମହିଳା ଏସଏଚଜି ସଦସ୍ୟଙ୍କୁ ପ୍ରତିଦିନ ଅପମାନିତ ଏବଂ ଅସମ୍ମାନିତ କରୁଛନ୍ତି । ଏହା ଓଡିଶା ବିଜେପି ନେତାଙ୍କ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଆଚରଣ । ଏହା ଦର୍ଶାଉଛି ଯେ ଓଡିଶାରେ ଚାଲିଥିବା ମହିଳାଙ୍କ ସଶକ୍ତିକରଣ ଏବଂ ସମାଜକୁ ପରିବର୍ତନ କରିବାର ପ୍ରୟାସ ପ୍ରତି ସେମାନେ ଅତ୍ୟନ୍ତ ଅସହିଷ୍ଣୁ ହୋଇ ପଡିଛନ୍ତି । ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଓଡିଶା ବିଜେପି ନେତାମାନେ ଚାହୁଁଛନ୍ତି ଓଡିଶାର ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହିବା ଉଚିତ୍ । ସେମାନେ ଚାହାଁନ୍ତି ନାହିଁ ଯେ ମହିଳାମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ ଏବଂ ଓଡିଶାର ବିକାଶକୁ ଆଗକୁ ବଢାନ୍ତୁ ।
କେବଳ ମିଶନ ଶକ୍ତି ଗୋଷ୍ଠୀର ମହିଳା ନୁହଁନ୍ତି ବରଂ ସାଧାରଣ ଜୀବନକୁ ଆସୁଥିବା ମହିଳାମାନଙ୍କୁ ମଧ୍ୟ ଓଡିଶା ବିଜେପିର ନେତାମାନେ ଟାର୍ଗେଟ କରୁଛନ୍ତି । ଆମେ ସମସ୍ତେ ଦେଖିଲୁ ଯେ ଓଡିଶା ବିଜେପି କିପରି ପଦ୍ମପୁର ଏବଂ ଝାରସୁଗୁଡାରେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ଅପମାନିତ ଏବଂ ଅସମ୍ମାନ କରିଛି, ଯେଉଁମାନେ ପିତାଙ୍କୁ ହରାଇଛନ୍ତି ଏବଂ ସାଧାରଣ ଜୀବନରେ ପ୍ରବେଶ କରୁଛନ୍ତି । ଓଡ଼ିଶାବାସୀଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ ସତ୍ୱେ ଓଡ଼ିଶା ବିଜେପି ଏଥିରୁ କିଛି ଶିଖିବାକୁ ଚାହୁଁନାହିଁ ଏବଂ ଓଡ଼ିଶାବାସୀ ଏବଂ ଓଡ଼ିଶାର ମହିଳାମାନଙ୍କୁ ଅପମାନିତ ଓ ଅସମ୍ମାନିତ କରିବା ଜାରି ରଖିଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ ।