ମାଲକାନଗିରି,ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ କୁଡୁମୁଲୁଗୁମ୍ମା ଗ୍ରାମର ସାକାର ହେବାକୁ ଯାଉଛି; ଐତିହ୍ୟ ପରମ୍ପରା ଓ ସଂସ୍କୃତି ସମ୍ପନ୍ନ ଅନବଦ୍ୟ ଭୂମି ମାଟିର ଵହୁପ୍ରତିକ୍ଷୀତ ସ୍ଵପ୍ନ । ସମଗ୍ର ଓଡ଼ିଶାରେ ନିଜର ପୌରାଣିକ, ଐତିହାସିକ, ବୌଦ୍ଧିକ ରାଜନୈତିକ ସ୍ଥିତି ବଜାୟ ରଖିଥିବା ମାଟି କୁଡୁମୁଲୁଗୁମ୍ମା ଫେରି ପାଇବ ତା’ର ହୃତ ଅତିତ, ହୃତ ଗୌରବ ।
ସ୍ଵାଧୀନତା ଅମଳରୁ ଆଦିବାସୀ ଅଧ୍ୟୁଷିତ ଦିଦାୟୀ କନ୍ଧ ଭୂମିଆଁ ଓ ପରଜା ମାଟିଆ ଭାଇ ମାନଙ୍କ ସାମାଜିକ, ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ପାଇଁ କୁଡୁମୁଲୁଗୁମ୍ମା ବ୍ଳକ ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିଲା। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାପରେ କୋରାପୁଟ ଜିଲ୍ଲା ଓଡ଼ିଶା ଅଧିକୃତ ହେଉଥିବା ସମୟରେ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଭୂକ୍ତ। ଏ ସମଗ୍ର ଅଞ୍ଚଳର ସାମାଜିକ, ଆର୍ଥିକ ଓ ବୌଦ୍ଧିକ ବିକାଶକୁ ଆଖି ଆଗରେ ରଖି ଵିଛିନ୍ନାଞ୍ଚଳ ଚିତ୍ରକୋଣ୍ଡା ଓ କୋରୁକୋଣ୍ଡା ବ୍ଲକର ପ୍ରାୟ ୯ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ଏହି ଐତିହାସିକ ବ୍ଲକ କାଳକ୍ରମେ ୧୧ଟି ପଞ୍ଚାୟତକୁ ପରିବର୍ଦ୍ଧିତ ହୋଇଥିଲା। ଘଟଣାକ୍ରମେ ସ୍ଵାଭିମାନ ଅଞ୍ଚଳର ବିକାଶକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଚିତ୍ରକୋଣ୍ଡା ସଦର ମହକୁମାକୁ ନୂତନ ବ୍ଳକ ଭାବେ ଘୋଷଣା କରି କୁଡୁମୁଲୁଗୁମ୍ମା ବ୍ଲକକୁ ଉଚ୍ଛେଦ କରିବା ସହ କାର୍ଯ୍ୟାଳୟକୁ ଚିତ୍ରକୋଣ୍ଡାକୁ ସ୍ଥାନାନ୍ତରିତ କରିଥିଲେ। କୋଟି କୋଟି ଟଙ୍କାର ବ୍ଳକ କାର୍ଯ୍ୟାଳୟ ଭୂତକୋଠି ପାଲଟି ଯାଇଥିଲା। ଗତ ତା ୦୩/୬/୨୩ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କୁଡୁମୁଲୁଗୁମ୍ମା ଗସ୍ତ କରି ବିକାଶ ପାଇଁ ଜନସଂପର୍କ ବୈଠକ ଆୟୋଜନ କରିଥିଲେ। ଏହି ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାହିତ୍ୟିକ, ରାଜନୈତିକ ବ୍ୟକ୍ତିବିଶେଷ ସାଂସଦ ନବରଙ୍ଗପୁରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହି ଐତିହାସିକ ସଂସ୍କୃତି ପରମ୍ପରା”ସମ୍ପନ୍ନ ବୀରଭୂମିର ଅପହୃତ ଅତିତ ସଂପର୍କରେ ଆଲୋଚନା କରିବା ସହ ଲିଖିତ ଭାବରେ ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ସବୁ କଥା ଅନୁଧ୍ୟାନ କରିବା ପରେ ସାଂସଦ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଲୋକସେବକ ଭବନ ଭୁବନେଶ୍ଵରରେ ଭେଟିବା ସହ ଏ ଅଞ୍ଚଳର ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଏହି ସଦର ମହକୁମାକୁ (ଏନ୍.ଏ.ସି.) ବିଜ୍ଞାପିତ ଅଞ୍ଚଳ ପରିଷଦ କୁଡୁମୁଲୁଗୁମ୍ମା ଭାବେ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ସାଂସଦ ନବରଙ୍ଗପୁର ଶ୍ରୀ ମାଝୀ ଟୁଇଟ୍ କରିବା ସହ ନିଜ ପ୍ରତିନିଧିଙ୍କ ମାଧ୍ୟମରେ କୁଡୁମୁଲୁଗୁମ୍ମା ଅଞ୍ଚଳବାସୀଙ୍କୁ ସୂଚିତ କରିଛନ୍ତି। ସାଂସଦଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରିବା ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହେଲେ ଏ ଅଞ୍ଚଳର ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, କୁଟୀର ଶିଳ୍ପ ଓ ଗମନାଗମନର ବିକାଶ ହେବା ସହ କର୍ମସଂସ୍ଥାନ ସୃଷ୍ଟି ଓ ଦାଦନ ସମସ୍ୟା ଦୂର ତଥା ଲୋକକଲ୍ୟାଣ କାର୍ଯ୍ୟକ୍ରମର ସଠିକ ରୁପାନ୍ତରଣ ହୋଇ ଅପରିତ୍ୟକ୍ତ ଭାବେ ପଡ଼ିଥିବା କୋଟି କୋଟି ଟଙ୍କାର ପୁରୁଣା କାର୍ଯ୍ୟାଳୟ କୋଠା ସରକାରୀ କାର୍ଯ୍ୟରେ ବିନିଯୋଗ ହେବ। ବିଜ୍ଞାପିତ ଅଞ୍ଚଳ ପରିଷଦ ହେବା ପାଇଁ ଆବଶ୍ୟକୀୟ ସମସ୍ତ ଯୋଗ୍ୟତା ଓ ମାପଦଣ୍ଡ କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତର ଅଛି। ଏଥିନିମନ୍ତେ ଆବଶ୍ୟକୀୟ ଜନସଂଖ୍ୟା, ଭୌଗୋଳିକ ଅବସ୍ଥିତି ଓ ସାହିଵସ୍ତି ସବୁ ମାନଦଣ୍ଡକୁ ସଠିକ ଭାବେ ପୂରଣ କରୁଥିବାରୁ ଏହି ଅଞ୍ଚଳକୁ ଏନ୍.ଏ.ସି. ଘୋଷଣା କରିବାକୁ ସାଂସଦ ନବରଙ୍ଗପୁର ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଐତିହାସିକ ନିଷ୍ପତି ଫଳରେ, କୁଡୁମୁଲୁଗୁମ୍ମା ମାଟି ହରାଇଥିବା ତା’ର ହୃତ ଗୌରବ ଫେରି ପାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବୀନ ଓଡ଼ିଶାର ରୁପାନ୍ତରଣ କାର୍ଯ୍ୟକ୍ରମ ସଫଳ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏହି ମହତ୍ କାର୍ଯ୍ୟ ନିମନ୍ତେ କୁଡୁମୁଲୁଗୁମ୍ମା ମାଟିର ଯୁବଗୋଷ୍ଠୀ, ବୁଦ୍ଧିଜୀବୀ, ଛାତ୍ର, ଶିକ୍ଷକ, ଆଇନଜୀବୀ,କଵି ସାହିତ୍ୟିକ, ସମାଜସେବୀ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝୀଙ୍କୁ ସାଧୁବାଦ ଅର୍ପଣ କରିବା ସହ ଏନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।