
କେନ୍ଦ୍ରାପଡ଼ା , କେନ୍ଦ୍ରାପଡାର ଜିଲ୍ଲାପାଳ ତଥା ଯୁବକବି ଅମୃତ ଋତୁରାଜଙ୍କ ପ୍ରଥମ କବିତା ସଙ୍କଳନ ‘ଅବ୍ୟକ୍ତ ଅକ୍ଷର’ର ଲୋକାର୍ପଣ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯ।।ଇଛି । ଓଡିଆ ଭାଷାର ସୁନାମଧନ୍ୟ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ତଥା ପ୍ରାଧ୍ୟାପକ ଡଃ ଫନି ମହାନ୍ତି ଉଦ୍ଘାଟକ ଭାବେ ଯୋଗ ଦେଇଥିବାବେଳେ ଓଡିଶା ସାହିତ୍ୟ ଏକାଡେମୀର ଉପସଭାପତି ଡଃ ସଂଗ୍ରାମ ଜେନା ମୁଖ୍ୟ ଅତିଥି, ବିଶିଷ୍ଟ ନାରୀକବି ଡଃ ଅପର୍ଣ୍ଣା ମହାନ୍ତି ମୁଖ୍ୟବକ୍ତା ଓ ଡଃ ଦିଲ୍ଲୀପ ସ୍ୱାଇଁ ଓ ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ସରୋଜ କୁମାର ମହାନ୍ତି ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଗାଳ୍ପିକ ତଥା ପ୍ରଚ୍ଛଦ ଶିଳ୍ପୀ ପ୍ରଫେସର ଅତୁଲ ବଳ ଅଧ୍ୟକ୍ଷତା କରିଥିବାବେଳେ କବି ନବଜ୍ୟୋତି ରାୟ ଲୋକାର୍ପଣ ଉତ୍ସବକୁ ସଂଯୋଜନା କରିଥିଲେ । କବିତା ପୁସ୍ତକର ରଚୟିତା ଜିଲ୍ଲାପାଳ ଅମୃତ ଋତୁରାଜ ଲେଖକୀୟ ପୃଷ୍ଠଭୂମି ଉପରେ ନିଜର ସୁଚିନ୍ତିତ ମତାମତ, ଅନୁଭୂତି ଉପରେ ବକ୍ତବ୍ୟ ରଖି କହିଥିଲେ ଯେ ଜଣେ ପ୍ରଶାସକ ଭାବେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବାବେଳେ ଜନଜୀବନର ସଂଘାତ, ଦୁଃଖ, ଅଭାବ ଅସୁବିଧା ଅନୁଧ୍ୟାନ କରିବା ସମୟରେ ଦୈନନ୍ଦିନ ଜୀବନର ନିରୋଳା ସମୟରେ ଯେଉଁ ଭାବାନ୍ତର ସୃଷ୍ଟି ହୁଏ ତାହାକୁ ଭାଷା ମାଧ୍ୟମରେ ପ୍ରକାଶ କରାଯାଇଛି । ପୁସ୍ତକର ପ୍ରଚ୍ଛଦ ପଟ୍ଟ ସାତଭାୟାର ଜନଶୂନ୍ୟ ଉପକୂଳ ଅଞ୍ଚଳର ଅତୀତର ବେଦନା ଓ ଭାବନାକୁ ନେଇ କରାଯାଇଛି । ଅତୀତରେ ଯେଉଁଠାରେ ଜନସାଧାରଣଙ୍କ କୋଳାହଳ ଥିଲା, ଜୀବନ ଓ ଜୀବିକା ଥିଲା ସେଠାରେ ଆଜି ନୀରବତା ଓ ଶୂନ୍ୟତା ବିରାଜମାନ କରୁଛି । ଯାହାକୁ ଜୀବନ ଯନ୍ତ୍ରଣା ସହ ତୁଳନା କରାଯାଇପାରେ । ଆମେ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଭାବ ଓ ଭାବାନ୍ତରରେ ପରିବର୍ତ୍ତିତ ହେଉଥିଲେ ମଧ୍ୟ ସମସ୍ତେ ଏହାକୁ ପ୍ରକାଶ କରିପାରନ୍ତି ନାହିଁ । କେବଳ ସାହିତ୍ୟିକ ଓ କବି ହିଁ ପ୍ରତ୍ୟେକ ଭାବ ଓ ଭାବନାକୁ ରୂପ, ଜୀବନ ଓ ରଙ୍ଗ ଦେଇପାରେ । ମୁଖ୍ୟ ଅତିଥି ଡଃ ମହାନ୍ତି କବିତା ସଙ୍କଳନର ବାସ୍ତବିକ ତତ୍ତ୍ୱ ଓ ଦାର୍ଶନିକ ତତ୍ତ୍ୱ ଉପରେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ