ଭୁବନେଶ୍ୱର – ବାଲେଶ୍ୱର ଜିଲ୍ଲାର ମହାବୀର ନୋଡାଲ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଯିବା ଘଟଣାର ତଦନ୍ତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିଇଓଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି । ତଦନ୍ତ ନିର୍ଦ୍ଦେଶ ପରେ ସିଆରସିସିଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ପୃକ୍ତ ସ୍କୁଲକୁ ଯାଇ ପଚରାଉଚରା ଆରମ୍ଭ କରିଛି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲେଶ୍ୱର ଡିଇଓ ପ୍ରମୋଦ ଷଡଙ୍ଗୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ବାଲେଶ୍ୱର ସହର ମଠସାହିସ୍ଥିତ ମହାବୀର ନୋଡାଲ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଗତକାଲି ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପାଇଖାନା ଯାଇଥିଲା । ପିଲାଟି ପାଇଖାନାରୁ ଆସିବା ପୂର୍ବରୁ ସ୍କୁଲ ଛୁଟି ହୋଇଯାଇଥିଲା । ଶିକ୍ଷକ ଓ ପିଅନ୍ ଗେଟରେ ତାଲା ପକାଇ ନିଜ ନିଜ ଘରକୁ ପଳାଇ ଯାଇଥିଲେ । ପିଲାଟିର ବ୍ୟାଗ୍ କ୍ଲାସ୍ ରୁମରେ ଥିବା କାହାର ନଜର ପଡ଼ିନଥିଲା । ଛାତ୍ର ଜଣକ ପାଇଖାନାରୁ ଫେରି ସ୍କୁଲ ଗେଟରେ ତାଲା ପଡ଼ିଥିବା ଦେଖିଥିଲା ଓ କାନ୍ଦିଥିଲା । ଛୁଆଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ପିଅନକୁ ଡକାଇ ଗେଟ ତାଲା ଖୋଲି ଥିଲେ ।