୧୯୪୭ ମସିହାରେ ଅକ୍ଟୋବର ୨୧ ତାରିଖ ଦିନ ପାକିସ୍ତାନୀ ସେନା ଜାମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିଥିଲେ । ସେମାନେ ଭାବୁ ଥିଲେ ଜାମ୍ମୁ କାଶ୍ମୀରରେ ଅଧିକାଂଶ ଲୋକ ମୁସଲମାନ ହୋଇଥିବାରୁ ସେମାନେ ତାଙ୍କୁ ସମର୍ଥନ ଓ ସହଯୋଗ କରିବେ । ଟ୍ରାଇବାଲ ମାନଙ୍କ ବେଶରେ ପାକିସ୍ତାନ ସେନା ବାରାମୁଲା ଦେଇ ପ୍ରବେଶ କଲେ ଓ ଶ୍ରୀନଗର ଆଡକୁ ଅଗ୍ରସର ହେଉଥିଲେ । ସେମାନେ ଶିଖ ଓ କାଶ୍ମୀରୀ ପଣ୍ଡିତ ମାନଙ୍କୁ ହତ୍ୟା, ଦୁଷ୍କର୍ମ ଓ ଲୂଟତରାଜ କରି ଆଗକୁ ବଢୁଥିଲେ ।
ଏହି ଖବର ପାଇବା ପରେ ଅକ୍ଟୋବର ୨୨ ତାରିଖ ଦିନ ମହାରାଜା ହରି ସିଂ ବ୍ରିଗେଡିୟର ରାଜେନ୍ଦ୍ର ସିଂହଙ୍କୁ ଡାକିଲେ । ବ୍ରିଗେଡିୟର ରାଜେନ୍ଦ୍ର ସିଂହ ସେତେବେଳେ ଜାମ୍ମୁ କାଶ୍ମୀରର ଚିଫ ଅଫ ଆର୍ମୀ ଷ୍ଟାଫ ଥିଲେ । ମହାରାଜା ହରି ସିଂ ତାଙ୍କୁ ତାଙ୍କ କକ୍ଷରେ ଡାକି ଖରାପ ପରିସ୍ଥିତି ସମ୍ପର୍କରେ ଅବଗତ କଲେ ଓ ‘ଶେଷ ବ୍ୟକ୍ତି ଥିବା ଯାଏ ଓ ଶେଷ ଗୁଳି ଥିବା ଯାଏ’ ରାଜ୍ୟକୁ ରକ୍ଷା କରିବାକୁ ନିର୍ଦେଶ ଦେଲେ ।
ମହାରାଜା ହରି ସିଂଙ୍କ ପୁଅ ଡ. କର୍ଣ ସିଂହ ଏକ ସାକ୍ଷାତକାରରେ ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ତାଙ୍କ ପିତା ମହାରାଜା ହରି ସିଂହ ବ୍ରିଗେଡିୟର ରାଜେନ୍ଦ୍ର ସିଂହଙ୍କୁ ଏହି ନିର୍ଦେଶ ଦେଲା ବେଳେ ସେ ମଧ୍ୟ ଉକ୍ତ କକ୍ଷରେ ଥିଲେ ।
ଡ. କର୍ଣ ସିଂହ କହନ୍ତି ଯେ “ତାଙ୍କ ପିତା ମହାରାଜା ହରି ସିଂ ବ୍ରିଗେଡିୟର ରାଜେନ୍ଦ୍ର ସିଂହଙ୍କୁ ଡାକିଲେ ଓ କହିଲେ ପାକିସ୍ତାନୀ ସେନା ଦ୍ୱାରା ଆକ୍ରମଣ ହୋଇଛି । ‘ଶେଷ ବ୍ୟକ୍ତି ଥିବା ଯାଏ ଓ ଶେଷ ଗୁଳି ଥିବା ଯାଏ’ ରାଜ୍ୟକୁ ରକ୍ଷା କର । ଏହା ପରେ ଏହି ଆଦେଶ ଶୁଣିବା ପରେ ବ୍ରିଗେଡିୟର ରାଜେନ୍ଦ୍ର ସିଂ ମୋ ପିତାଙ୍କୁ ସାଲ୍ୟୁଟ କରି ବାହାରକୁ ଚାଲିଗଲେ । ”
ବ୍ରିଗେଡିୟର ରାଜେନ୍ଦ୍ର ସିଂଙ୍କ ନିକଟରେ ପାଖା ପାଖି ଶହେ ସୈନିକ ଥିଲେ । ଅନ୍ୟ ପକ୍ଷରେ ଆକ୍ରମଣ କରି ଆଗକୁ ବଢୁଥିବା ପାକିସ୍ତାନୀ ସେନା ନିକଟରେ ୬ ହଜାର ସୈନିକ ଥିଲେ । ଏହା ସତ୍ୱେ ସେ ବିଚଳିତ ନ ହୋଇ ଆକ୍ରମଣକାରୀ ପାକିସ୍ତାନୀ ସେନାକୁ କିପରି ଆଗକୁ ବଢିବାକୁ ଦିଆ ନ ଯିବ ସେ ନେଇ ଯୋଜନା କରିଥିଲା । ତାଙ୍କର ସହାୟତା ପାଇଁ ଭାରତୀୟ ସେନାକୁ ପହଂଚିବାରେ ବିଳମ୍ବ ହେବ, ଏ କଥା ସେ ଜାଣଥିଲେ । ମାତ୍ର ଶହେ ଜଣ ସୈନିକକୁ ନେଇ ସେ ବାରାମୁଲା ଓ ଉଡି ମଧ୍ୟରେ ଥିବା ପୋଲ ଦେଇ ସେ ପାକିସ୍ତାନୀ ସେନାଙ୍କୁ ପାର ହେବାକୁ ଦେଇ ନ ଥିଲେ । ପାକିସ୍ତାନୀ ସେନାକୁ ସେ ମହୁରା ଓ ରାମପୁର ନିକଟରେ ରହିବାକୁ ବାଧ୍ୟ କରିଥିଲେ । ଏଥିରେ ଆକ୍ରମଣକାରୀ ପାକିସ୍ତାନୀ ସେନାର ବିପୁଳ କ୍ଷତି ହୋଇଥିଲା । ତିନି ଦିନ ଧରି ସେ ପାକିସ୍ତାନୀ ସେନାକୁ ଆଗକୁ ବଢିବାକୁ ଦେଇ ନ ଥିଲେ । କୌଣସି ସେନା ମୁଖ୍ୟ ନିଜେ ସୈନିକ ମାନଙ୍କର ନେତୃତ୍ୱ ନେଇ ଲଢେଇ କରିବାର ଘଟଣା ସମସାମୟିକ ଯୁଦ୍ଧ ଇତିହାସରେ ମିଳେ ନାହିଁ । ଦୀର୍ଘ ତିନି ଦିନ ଧରି ପାକିସ୍ତାନୀ ଆକ୍ରମଣକାରୀ ସେନାକୁ ଅଟକାଇବାରେ ସଫଳ ହୋଇଥିବା ବ୍ରିଗେଡିୟର ରାଜେନ୍ଦ୍ର ସିଂହ ଅକ୍ଟୋବର ୨୬ ତାରିଖ ଦିନ ସେ ଯୁଦ୍ଧରେ ବୁନିୟାର ନିକଟରେ ଗୁରୁତର ଭାବେ ଆହତ ହୋଇଥିଲେ ଓ ପରେ ବୀର ଗତିକୁ ପ୍ରାପ୍ତ ହୋଇଥିଲେ ।
ଆକ୍ରମଣକାରୀ ପାକିସ୍ତାନୀ ସେନାକୁ ଆଗକୁ ବଢିବାକୁ ନ ଦେଇ ସେ ହଜାର ହଜାର ଜାମ୍ମୁକାଶ୍ମୀର ବାସୀଙ୍କ ଉପରେ ଆକ୍ରମଣ, ହତ୍ୟା, ଦୁଷ୍କର୍ମ ହେବାରୁ ରକ୍ଷା କରିଥିଲେ । ମହାରାଜା ହରି ସିଂଙ୍କ ଠାରୁ ଆଦେଶ ପାଇବା ମାତ୍ରେ ବ୍ରିଗେଡିୟର ରାଜେନ୍ଦ୍ର ସିଂହ ଦେଶଭକ୍ତି ଓ ଶୌର୍ଯ୍ୟର ମହାନ ଉଦାହରଣ ସୃଷ୍ଟି କରିଥିଲେ ।
ମହାରାଜା ହରି ସିଂଙ୍କ ପୁଅ ଡ. କର୍ଣ ସିଂହ ମଧ୍ୟ ସ୍ୱୀକାର କରିଛନ୍ତି ଯେ“ ଯଦି ବ୍ରିଗେଡିୟର ରାଜେନ୍ଦ୍ର ସିଂହ ଯଦି ପାକିସ୍ତାନୀ ଆକ୍ରମଣକାରୀ ମାନଙ୍କୁ ରୋକି ନ ଥାନ୍ତେ ତେବେ ଜାମ୍ମୁ କାଶ୍ମୀର ଭାରତରେ ନ ଥାନ୍ତା ।”ବ୍ରିଗେଡିୟର ରାଜେନ୍ଦ୍ର ସିଂହ ଜଣେ ପ୍ରତାପୀ ଡୋଗରା ଯୋଦ୍ଧା ଥିଲେ । ତାଙ୍କୁ ଜାମ୍ମୁ କାଶ୍ମୀରର ରକ୍ଷାକର୍ତା ବୋଲି ମଧ୍ୟ ସମ୍ବୋଧିତ କରା ଯାଏ ।
ବ୍ରିଗେଡିୟର ରାଜେନ୍ଦ୍ର ସିଂହଙ୍କୁ ସ୍ୱାଧୀନ ଭାରତର ପ୍ରଥମ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରା ଯାଇଥିଲା । ଜାମ୍ମୁ କାଶ୍ମୀରକୁ ରକ୍ଷା ଓ ଏହାର ଏକୀକରଣ ପାଇଁ ଅସୀମ ବୀରତ୍ୱ ପ୍ରଦର୍ଶନ କରି ଆତ୍ମବଳୀ ଦେଇଥିବା ଶହୀଦ ବ୍ରିଗେଡିୟର ରାଜେନ୍ଦ୍ର ସିଂହଙ୍କୁ ମନେ ପକାଇବା ଆବଶ୍ୟକ ।
(କ୍ରମଶଃ)