ବ୍ରହ୍ମପୁର :ସିକନ୍ଦରାବାଦ ଅଗରତାଲା ଏକ୍ସପ୍ରେସ ଟ୍ରେନର ବି୫ ଏସି କୋଚରୁ ବାହାରିଲା ଧୂଆଁ । ଧୂଆଁ ବାହାରିବା ପରେ ଟ୍ରେନରୁ ଓହ୍ଲାଇ ପଡିଲେ ବହୁ ଯାତ୍ରୀ । ଧୂଆଁ ବନ୍ଦ ହେବା ପରେ ଦୀର୍ଘ ୫୫ ମିନିଟ ପରେ ବ୍ରହ୍ମପୁରରୁ ଛାଡିଲା ଟ୍ରେନ । ଆଜି ଅପରାହ୍ନ ୧୨ ଘଣ୍ଟା ୪୦ରେ ବ୍ରହ୍ମପୁର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା ସିକନ୍ଦରାବାଦ ଅଗରତାଲା ଏକ୍ସପ୍ରେସ। ପ୍ଲାଟଫର୍ମରେ ପହଞ୍ଚିବା ପରେ ହଠାତ ବି୫ରେ ଏସି ସୁଇଚ ବୋର୍ଡ଼ରୁ ବାହାରିଥିଲା ଧୂଆଁ । ଧୂଆଁ ବାହାରିବା ପରେ ବି୫ରେ ବସିଥିବା ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇ ପଡ଼ିଥିଲେ । ଏନେଇ ସୂଚନା ପାଇବା ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀ, ଆରପିଏଫ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣା ସ୍ଥଳରେ ପହଞ୍ଚି ରେନ ବିଭାଗର ଇଲେଟ୍ରିସିଆନକୁ ମଧ୍ୟ ଖବର ଦିଆଯାଇଥିଲା । ଖବର ପାଇବା ପରେ ଇଲେଟ୍ରିସିଆନ ପହଞ୍ଚି ଏସି ସୁଇଚ ବୋର୍ଡକୁ ମରାମତି କରିଥିଲେ । ଏହାପରେ ଟ୍ରେନରୁ ଓହ୍ଲାଇ ପଡିଥିବା ସମସ୍ତ ଯାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ପୁଣି ଯାତ୍ରୀ ମାନେ ଟ୍ରେନରେ ଚଢିଥିଲେ । ବି୫ ଏସି କୋଚରେ ଯାତ୍ରୀ ମାନଙ୍କ ସହ ଜଣେ ଇଲେଟ୍ରିସିଆନ, ଆରପିଏଫ କର୍ମଚାରୀ ଓ କିଛି ରେଳ ବିଭାଗର କର୍ମଚାରୀ ମାନେ ମଧ୍ୟ ସେମାନଙ୍କ ସାଥିରେ ଟ୍ରେନରେ ଯାଇଥିଲେ । ବ୍ରହ୍ମପୁର ରେଳ ଷ୍ଟେସନରୁ ୧ ଘଣ୍ଟା ୩୫ ମିନିଟ ସମୟରେ ଟ୍ରେନଟି ଛାଡିଥିଲା । ଯାହାଫଳରେ ଦୀର୍ଘ ୫୫ ମିନିଟ ଧରି ବ୍ରହ୍ମପୁର ରେଳ ଷ୍ଟେସନରେ ଅଟକି ରହିଥିଲା ଟ୍ରେନଟି । ତଥାପି ମଧ୍ୟ ଯାତ୍ରୀ ମାନଙ୍କ ମଧ୍ୟରେ ଭୟ ଲାଗି ରହିଥିବା ବେଳେ ଏଭଳି ଧୂଆଁ ବାହାରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ରେଳ ବିଭାଗ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଯାତ୍ରୀ ମାନେ ।