-
ଘଟଣାସ୍ଥଳରେ ସିବିଆଇର୧୦ ଜଣିଆ ଟିମ୍ ଓ ଫରେନସିକ୍ ଟିମ୍ ର ଛାନଭିନ୍ : ସବୁ ଦିଗରୁ ତଦନ୍ତ ହେବ – ଦକ୍ଷିଣ-ପୂର୍ବ ରେଲୱେ ସିପିଆରଓ
ଭୁବନେଶ୍ଵର/ବାଲେଶ୍ଵର, ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଆଜି ଦୁର୍ଘଟଣାସ୍ଥଳ ବାହାନଗା ରେଳ ଷ୍ଟେସନରେ ପହଂଚି ତଦନ୍ତ କରିଛି ସିବିଆଇର ୧୦ ଜଣିଆ ଟିମ୍ । ଏହି ଟିମ୍ ଘଟଣାସ୍ଥଳ ବୁଲି ଦେଖିବା ସହ ରେଳ କର୍ମଚାରୀଙ୍କ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛନ୍ତି । ସିଗନାଲ୍ ରୁମ୍, ଲୁପ୍ ଲାଇନ୍ ଓ ମେନ୍ ଲାଇନରେ ମଧ୍ୟ ଯାଂଚ୍ କରିଛି ସିବିଆଇ ଟିମ୍ । ଏଥିସହିତ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି । ଏହି ଦୁର୍ଘଟଣା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି କି ନାହିଁ ସେନେଇ ତଦନ୍ତ କରୁଛି ସିବିଆଇ ଟିମ୍ ।
ଅନ୍ୟପକ୍ଷରେ ବାହାନଗା ଟ୍ରେନ ଦୁର୍ଘଟଣାର ସବୁ ଦିଗରୁ ତଦନ୍ତ ହେବ ବୋଲି ଦକ୍ଷିଣ-ପୂର୍ବ ରେଲୱେ ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫରେନସିକ, ସିବିଆଇ ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି । ସେମାନେ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ପ୍ରମାଣ ସଂଗ୍ରହ କରୁଛନ୍ତି । ରେଳବାଇ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି । ସବୁ ଦିଗକୁ ନେଇ ସିବିଆଇ ତଦନ୍ତ କରିବ ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉକି, ଟ୍ରେନ୍ ନଂ ୧୨୮୪୧ ଶାଲିମାର -ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନଂ ୧୨୮୬୪ ସାର୍ ଏମ.ଭିସଭେଶ୍ଵରାୟ -ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଗତ ୨ ତାରିଖ ସଂନ୍ଧ୍ୟା ପ୍ରାୟ ୬ଟା ୫୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ମୋଟ୍ ତିନୋଟି ଟ୍ରେନ୍ ସାମିଲ୍ ଥିଲା । ତନ୍ମଧ୍ୟରେ ରହିଥିଲା ଦୁଇଟି ଏକ୍ସପ୍ରେସ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍ । ଏହି ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ହଜାରେରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି ।