କଟକ/ଭୁବନେଶ୍ୱର, ବିଶିଷ୍ଟ ସମାଜସେବୀ, ସଂଗଠକ, ବିଜ୍ଞାନ ଭାରତୀର ଦେବଦୁର୍ଲଭ କାର୍ଯ୍ୟକର୍ତା ମା. ଜୟନ୍ତ ସହସ୍ରବୁଦ୍ଧେଙ୍କ ସ୍ମୃତିରେ କଟକ ଠାରେ ବ୍ଲେଣ୍ଡେଡ ମୋଡରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଡେରାଡୁନରୁ ଦିଲ୍ଲୀ ଫେରୁଥିବା ବେଳେ ଭୟଙ୍କର ସଡକ ଦୁର୍ଘଟଣାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ଜୟନ୍ତ ଜୀ ଙ୍କ ସ୍ମୃତିଚାରଣ କରି ଓଡିଶା ବିଜ୍ଞାନ ମଣ୍ଡଳର ରାଜ୍ୟ ସଭାପତି ପ୍ରଫେସର ଚିତରଞ୍ଜନ ତ୍ରିପାଠୀ କହିଲେ ଜୟନ୍ତ ଜୀ ଙ୍କ ଅବର୍ତ୍ତମାନରେ ଦେଶର ବିଜ୍ଞାନ ଓ ବୈଜ୍ଞାନିକ ସମାଜ ଜଣେ କୁଶଳୀ ସଂଗଠକଙ୍କ ଅନୁପସ୍ଥିତି ଅନୁଭବ କରିବ । ସଂଘ ପରିବାର ଜଣେ ଦେବଦୁର୍ଲଭ କାର୍ଯ୍ୟକର୍ତା ହରାଇଲା । ସଂଗଠନ ସଂପାଦକ ଇଂ ଅରୁଣ କୁମାର ସାହୁ ଓଡିଶାରେ ସଂଗଠନର ଅପେକ୍ଷାକୃତ ଦୁର୍ବଳ ସ୍ଥିତି ସତ୍ୱେ ଜୟନ୍ତ ଜୀ ନିଜେ ଉପସ୍ଥିତ ରହି ଭୁବନେଶ୍ୱର ଠାରେ ବିଜ୍ଞାନ ଭାରତୀର ଦୁଇଦିବସୀୟ ଅଖିଳ ଭାରତୀୟ ଅଭ୍ୟାସ ବର୍ଗ କରାଇବା ତାଙ୍କର ଓଡିଶା ପ୍ରତି ସ୍ନେହ କୁ ଦର୍ଶାଏ ବୋଲି କହିଲେ । ସଂପାଦକ ଓ ରୟାଲ କେମିକାଲ ସୋସାଇଟିର ଫେଲୋ, ଡଃ ବିକାଶ କୁମାର ଜେନା ଜୟନ୍ତ ଜୀ ଙ୍କ ପ୍ରଚାରକ ଜୀବନ ଆରମ୍ଭ ଠାରୁ ଶେଷ ଯାତ୍ରା ବିଷୟରେ ବର୍ଣ୍ଣନା କରି ତାଙ୍କର ନିରଳସ ଓ ନିସ୍ୱାର୍ଥପର ଜୀବନ କଥା କହିଥିଲେ । କୋଷାଧ୍ୟକ୍ଷ ଇଂ ସଞ୍ଜୟ କୁମାର ପଟ୍ଟନାୟକ ଜୟନ୍ତ ଜୀ ଙ୍କ ସ୍ୱଦେଶୀ ବିଜ୍ଞାନ ଆନ୍ଦୋଳନକୁ ଯୋଗଦାନ ବିଷୟରେ ବର୍ଣ୍ଣନା କରି କଟକ ସହ ତାଙ୍କର ନିବିଡ଼ ସଂପର୍କ ର ସ୍ମୁତିଚାରଣ କରିଥିଲେ ।
ଯୁଗ୍ମ ସଂପାଦକ ସୌଭାଗ୍ୟ ସ୍ୱାଇଁ କହିଥିଲେ ଯେତେବେଳେ ଆମେ କୌଣସି ଛୋଟିଆ ବା ବଡ ସମସ୍ଯା ନେଇ ଜୟନ୍ତ ଜୀ ଙ୍କ ପାଖକୁ ଯାଉ ସେ ତୁରନ୍ତ ତାହାର ସମାଧାନ କରି ଦେଉଥିଲେ । ସୁଦୁର ନବରଙ୍ଗପୁର ପର୍ଯ୍ୟନ୍ତ ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନକୁ ପହଂଚାଇବା ତାଙ୍କର ଦୁରଦୃ୍ଷ୍ଟି ଓ ସଂଗଠନ କୁଶଳତା ଯୋଗୁଁ ସମ୍ଭବ ହୋଇ ପାରିଛି । ଗୌରୀ ଭାଇଙ୍କ ସହ ସେ ଓଡିଶାର ସବୁ ଅଂଚଳ ବୁଲି ଥିଲେ, ସେ ସୁଦୁର ବରହମପୁର ର ଅପହଂଚ ବନାଂଚଳ ହେଉ କି ସମ୍ବଲପୁରର ଉପାନ୍ତ ଗ୍ରାମାଂଚଳ । ଜଣେ ରାଷ୍ଟ୍ରୀୟ ଅଧିକାରୀ କିପରି ସାଧାରଣ ଜୀବନଯାପନ କରିପାରେ, କାର୍ଯ୍ୟକର୍ତାଙ୍କ ଘରେ ରହିପାରେ, ନିତିଦିନିଆ ପଖାଳ ତୋରାଣି ଖାଇପାରେ ତାହା ଜୟନ୍ତ ଜୀ ଙ୍କୁ ଦେଖିଲେ ଜଣାପଡିବ । ସହ ସଂଗଠନ ସମ୍ପାଦନ ଡଃ ଗୌରୀଶଙ୍କର ସାହୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଜୟନ୍ତ ଜୀ ଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି ପାଇଁ ପ୍ରାର୍ଥନା କରି ଏକାଦଶାହ ଦିନ ଏକ ସ୍ମରଣୀକା ପ୍ରକାଶନର ପ୍ରସ୍ତାବ ଦେଲେ । ଉପସ୍ଥିତ ପଦାଧିକାରୀ ମାନେ ଏଥିରେ ସମ୍ମତି ପ୍ରଦାନକରି ଗୌରୀଶଙ୍କର ସାହୁ ଙ୍କୁ ଲେଖା ପଠାଇବା ପାଇଁ ସ୍ୱୀକୃତି ଦେଲେ । ଡଃ ସାହୁ କହିଲେ ଜୟନ୍ତ ଜୀ ସାରା ଭାରତର ବୈଜ୍ଞାନିକ ନେତୃମଣ୍ଡଳୀଙ୍କ ଗୁରୁପ୍ରତିମ ଥିଲେ । ହେଲେ ଓଡିଶା ଆସିଲେ ସେ ସବୁବେଳେ ମା. ଡଃ ବସନ୍ତ ରଥଙ୍କୁ ଖୋଜନ୍ତି, ତାଙ୍କ ଭଲମନ୍ଦ ପଚାରନ୍ତି । ଡଃ ରଥ ସଂଘ ଶିକ୍ଷାବର୍ଗ ତୃତୀୟ ବର୍ଷରେ ଜୟନ୍ତ ଜୀ ଙ୍କ ଶିକ୍ଷକ ଥିଲେ । ତାଙ୍କ ସହ ଦୀର୍ଘ ପନ୍ଦର ବର୍ଷର ସଂପର୍କ ସ୍ମୁତିପଟଳରେ ଜୀବନ୍ତ ହୋଇ ରହିବ । ଏ ଅବସରରେ ପ୍ରଫେସର ବିପିନି ବିହାରୀ ନନ୍ଦ, ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ, ପ୍ରଫେସର ହରିହର ମିଶ୍ର, ପ୍ରଫେସର ଅନୀଲ କୁମାର ମିଶ୍ର, ପ୍ରଫେସର ଜ୍ଯୋତିଷ ଚନ୍ଦ୍ର ମହାନ୍ତି, ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ମହାନ୍ତି,ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ,ଡଃ ଡଃ ପଦ୍ମନାଭ ଯୋଶୀ, ଜଗବନ୍ଧୁ ମିଶ୍ର, ଦିବ୍ଯକିଶୋର ପଣ୍ଡା, ଡଃ ବାଇଧର ସାହୁ, ଡଃ ନାରାୟଣ ମହାନ୍ତି, ଡଃ ବିଜୟ ଭୂଷଣ ଆଚାର୍ଯ୍ୟ, ଡଃ ଅଭୟ ନାୟକ, ଡଃ ସ୍ୱାତୀ ସୁଚରିତା, ଇଂ ଶାନ୍ତନୁ ପ୍ରଧାନ, ଡଃ ସମରେନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ମନୋରଞ୍ଜନ ମହାନ୍ତି, ଶିକ୍ଷାବିତ୍ ରମେଶ ଚନ୍ଦ୍ର ହାତୀ, କୃଷ୍ଣଚନ୍ଦ୍ର ପଣ୍ଡା, ଶୁଭମ ବେହେରା, ଡଃ ସନ୍ତୋଷ ବେହେରା, ପଦନ ଚରଣ ସାହୁ ପ୍ରମୁଖ ଜୟନ୍ତ ଜୀ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ ପୂର୍ବକ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।