ପୁରୀ ଜିଲ୍ଲା ସଦର ବ୍ଲକ ବାଇଶିମୌଜା ଅନ୍ତର୍ଗତ ନୂଆପାଟଣା ଗ୍ରାମବାସୀଙ୍କ ତରଫରୁ ଗାଁ ମଣ୍ଡପରେ ବେଦାନ୍ତ ବିରୋଧୀ ସଂଘର୍ଷ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ବତନ ବିଧାୟକ ତଥା ସଂଘର୍ଷ ସମିତିର ଆବାହକ ଉମାବଲ୍ଲଭ ରଥ, ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଶମ୍ଭୁନାଥ ପାଣିଗ୍ରାହୀଙ୍କ ସମେତ ସଂଘର୍ଷ ସମିତିର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ଥିଲେ । ଦାମୋଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଷ୍ଣୁ ପ୍ରସାଦ ମିଶ୍ର, ଗଙ୍ଗାଧର ପ୍ରଧାନ, କୈଳାସ ସ୍ବାଇଁ, ଯୋଗେନ୍ଦ୍ର ପ୍ରଧାନ, ହରିହର ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ ଓ ଲକ୍ଷ୍ମଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶାଗମାଛ ଦରରେ ନିଜର ଭିଟାମାଟିକୁ ଛଡ଼ାଇ ନେଇଥିବା ବେଦାନ୍ତ କର୍ତ୍ତୃପକ୍ଷଙ୍କ ଠାରୁ କିପରି ନିଜ ଜମି ଓ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଫେରିପାଇବେ ସେ ସମ୍ପର୍କରେ ନୀତିଗତ ନିଷ୍ପତି ନେଇ ଆଲୋଚନା କରିଥିଲେ । ବୈଠକରେ ଦୀର୍ଘ ୧୭ ବର୍ଷର ଆନ୍ଦୋଳନ ଓ ଆଇନଗତ ଲଢେଇର ଅବସାନ ଘଟାଇ ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟ ସଂଘର୍ଷ ସମିତି ସପକ୍ଷରେ ଯେଉଁ ରାୟ ଦେଇଛନ୍ତି ତାହା ସତ୍ୟ ଓ ନ୍ୟାୟର ବିଜୟ ହୋଇଛି ବୋଲି ପୂର୍ବତନ ବିଧାୟକ ତଥା ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ମୁଖ୍ୟ କର୍ଣ୍ଣଧାର ଉମାବଲ୍ଲଭ ରଥ ମତପ୍ରକାଶ କରିଥିଲେ । ଆଲୋଚନା ବେଳେ ବାଇଶିମୌଜାର ବିଭିନ୍ନ ଗ୍ରାମର ପ୍ରତିନିଧି ମାନେ ନିଜନିଜ ମତାମତ ଦେଇଥିଲେ । ଏହି ମାମଲାକୁ କଟକ ହାଇକୋର୍ଟ ଠାରୁ ସୁପ୍ରିମକୋର୍ଟ ଯାଏଁ ପରିଚାଳନା କରିଥିବା ବୀରହରେକୃଷ୍ଣପୁର ମାଟିର ସୁଯୋଗ୍ୟ ସନ୍ତାନ ଆଇନଜୀବୀ ଚିନ୍ମୟ ମିଶ୍ରଙ୍କୁ ସମିତି ପକ୍ଷରୁ ଶୁଭେଚ୍ଛା ସହ କୃତଜ୍ଞତା ଜଣାଇଥିଲେ । ବେଦାନ୍ତ କମ୍ପାନୀର ଏହି ବେଆଇନ୍ ଜମି ଅଧିଗ୍ରହଣରେ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗକୁ ମାନ୍ୟବର ସୁପ୍ରିମକୋର୍ଟ ଭତ୍ସନା କରିଥିବା ବେଳେ ବେଦାନ୍ତ କମ୍ପାନୀକୁ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ କରିଛନ୍ତି । ତେବେ ବେଦାନ୍ତ କମ୍ପାନୀ ପାଇଁ ପରୋକ୍ଷରେ ସରକାର ଅଧିଗ୍ରହଣ କରିଥିବା ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ସହ ବାଇଶିମୌଜା ବାସୀଙ୍କୁ ସେମାନଙ୍କ ଘରଡିହ ଓ ଚାଷଜମି ଯେପରି ପୂର୍ବାବତ୍ ଫେରିପାଇବେ ସେଥିପାଇଁ ସଂଘର୍ଷର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ରଥ ସୂଚନା ଦେଇଥିଲେ । ଶେଷରେ ଶ୍ରୀ ରଥ କହିଛନ୍ତି ଯେ’ ଆଗାମୀ ଦିନରେ ସମିତିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରାଇବା ଦିଗରେ ଉଚିତ୍ ପଦକ୍ଷେପ ନେବାପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ନେଇ ବୈଠକ ରେ ନିଷ୍ପତ୍ତି ହୋଇଛି ।
Related Stories
November 24, 2024