ସୁବର୍ଣ୍ଣପୁର, ଆଜି ସକାଳ ୮ଟାରୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅମଲା ମଂଚର ଅଧ୍ୟକ୍ଷ ଚିତ୍ତରଞ୍ଜନ ତରସିଆଙ୍କ ନେତୃତ୍ବରେ ଜ଼ିଲ୍ଲା ହେଡ଼ କ୍ଵାଟରର ୩୨ଟି ବିଭାଗର ୨୦୦ରୁ ଉର୍ଧ୍ଵ ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏବଂ ଅମଲା ମାନେ ଆଜିଠାରୁ ଜ଼ିଲ୍ଲା ସାରା ରାଜ୍ୟ ସାରା କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ସାମୁହିକ ଛୁଟି ନେଇଛନ୍ତି। ତେବେ ଅମଲା ମାନଙ୍କ ଯୋଗ୍ୟତା ତୁଳନାରେ ରାଜ୍ୟ ସରକାର ମାସିକ ଦରମା ପ୍ରଦାନ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଗତ ୨୦୧୭ ମସିହାରେ ରାଜ୍ୟ ସରକାର କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଯୋଗ୍ୟତା ନିର୍ଦ୍ଧାରଣ କରିଛନ୍ତି । ଅନ୍ୟୁନ ସ୍ନାତକ ସହିତ କଂପ୍ୟୁଟର ଶିକ୍ଷାକୁ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଛି। ତେବେ ଯୋଗ୍ୟତା ତୁଳନାରେ କନିଷ୍ଠ ସହାୟକମାନଙ୍କୁ ଦରମା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ପୂର୍ବରୁ ବିଭିନ୍ନ ସମୟରେ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇଥିଲେ ହେଁ ରାଜ୍ୟ ସରକାର ନୀରବ ରହିଥିବା ଅଭିଯୋଗ ହୋଇଛି । ତେବେ କନିଷ୍ଠ ସହାୟକମାନଙ୍କୁ ୯,୩୦୦ରୁ ୩୪,୮୦୦ ଦରମା ହାର ପ୍ରଦାନ କରିବା ସହିତ ୪,୨୦୦ ଗ୍ରେଡ ପେ -ପ୍ରଦାନ କରିବା ପାଇଁ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅମଲା ସଂଘର ପୂର୍ବ ନିଷ୍ପତ୍ତି କ୍ରମେ ଅମଲାମାନେ ମଇ ୨୨ ତାରିଖରୁ କଳାବ୍ୟାଚ ପରିଧାନ କରି ମଇ ଶେଷ ପର୍ଯ୍ୟନ୍ତ ନିଜ ନିଜ କାର୍ଯ୍ୟାଳୟରେ ନିଜ ଦାୟିତ୍ଵ ନିର୍ବାହ କରି ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲେ । ଦାବି ପୂରଣ ନ ହେଲେ ଜୁନ ୧ ତାରିଖରୁ ଅମଲାମାନେ ସମୁହ ଛୁଟିରେ ଯିବା ପାଇଁ ଚେତାବନୀ ଦେଇଥିଲେ । ରାଜ୍ୟ ମିଳିତ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି ପୂରଣ ପାଇଁ ଏକ ଚରମ ପତ୍ର ବି ପ୍ରଦାନ କରାଯାଇଥିଲା । ଏବଂ ଜୁନ ୧ ସୁଦ୍ଧା ଦାବି ପୂରଣ କରିବାକୁ ଅନୁରୋଧ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଅମଲା ସଂଘ ସହିତ କୌଣସି ଆଲୋଚନା କରାଯାଇ ନ ଥିବା ବେଳେ ରାଜ୍ୟ ସରକାର ଏଯାଏଁ ଅମଲା ସଂଘର ଦାବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ତେବେ ଆଜିଠାରୁ ଅମଲାମାନେ ସାମୂହିକ ଛୁଟି ନେବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦାବି ପୂରଣ ନ ହେବା ଯାଏଁ ଅମଲାମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ନିଜ ନିଜ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି। ଅମଲା ମାନଙ୍କ ସାମୁହିକ ଛୁଟି ପାଇଁ ଆଜି ପ୍ରାୟ ୩୮ଟି ବିଭାଗର ସମସ୍ତ ସରକାରୀ କାର୍ଯ୍ୟାଳୟରେ କୌଣସି ସରକାରୀ କାର୍ଯ୍ୟ ହୋଇ ପାରୁନାହିଁ। ଜନସାଧାରଣ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି।
ସେପଟେ ଅମଲା ମାନେ ଦାବି ପୂରଣ ନ ହେଲେ ସାମୁହିକ ଛୁଟି ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି।