
ନୂଆଦିଲ୍ଲୀ,ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାରମ୍ଭ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଗୌହାଟୀ ସହ ନ୍ୟୁ ଜଳପାଇଗୁଡ଼ିକୁ ଯୋଡ଼ିବ ଓ ଏହାର ଯାତ୍ରା ଅବଧି ସାଢ଼େ ପାଞ୍ଚ ଘଣ୍ଟା ରହିବ । ପ୍ରଧାନମନ୍ତ୍ରୀ ମଧ୍ୟ ୧୮୨ କିଲୋମିଟର ଦୀର୍ଘ ବିଦ୍ୟୁତକରଣ ହୋଇଥିବା ରେଳପଥ ସେକ୍ସନ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଆସାମର ଲାମଡିଙ୍ଗ ଠାରେ ନବନିର୍ମିତ ଡେମୁ/ମେମୁର ମଧ୍ୟ ଉଦଘାଟନ କରିଥିଲେ ।
ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଆଜି ଉତ୍ତର ପୂର୍ବାଞ୍ଚଳର ସଂଯୋଗୀକରଣ ଦୃଷ୍ଟିରୁ ଏକ ବିରାଟ ଦିନ । କାରଣ ଆଜି ଏକାଠି ତିନିଟି ବିକାଶ ମୂଳକ କାର୍ଯ୍ୟକ୍ରମ ସମାପିତ ହୋଇଛି । ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥିଲେ ଯେ ପ୍ରଥମଟି ହେଉଛି ଉତ୍ତର ପୂର୍ବାଞ୍ଚଳ ଏହାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପାଇଛି ଓ ପଶ୍ଚିମବଙ୍ଗକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରୁଛି । ଦ୍ୱିତୀୟତଃ ଆସାମ ଓ ମେଘାଳୟରେ ପ୍ରାୟ ୪୨୫ କିଲୋମିଟର ଦୀର୍ଘ ରେଳପଥର ବିଦ୍ୟୁତକରଣ ସମ୍ପନ୍ନ ହୋଇଛି । ଏବଂ ତୃତୀୟରେ ଆସାମର ଲାମିଡିଙ୍ଗରେ ନୂତନ ଡେମୁ/ମେମୁ ସେଡ୍ ଉଦଘାଟିତ ହୋଇଛି । ଆସାମ, ମେଘାଳୟ ଓ ପଶ୍ଚିମବଙ୍ଗ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳବାସୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅପୂର୍ବ କ୍ଷଣ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୌହାଟୀ- ନ୍ୟୁ-ଜଳପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସ ଆସାମ ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ଶହ ଶହ ବର୍ଷର ସମ୍ପର୍କକୁ ଆହୁରି ମଜବୁତ କରିବ । ଏହା ଯାତ୍ରାକାଳୀନ ସୁଗମତା ସହ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୁବିଧାଜନକ ହେବ ଓ ପର୍ଯ୍ୟଟନ ଓ ବ୍ୟବସାୟ ଯୋଗୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ବନେ୍ଦ ଭାରତ ଏକ୍ସପ୍ରେସ ମା’ କାମାକ୍ଷା ମନ୍ଦିର, କାଜିରଙ୍ଗା ଓ ମାନସ ଜାତୀୟ ଉଦ୍ୟାନ ଓ ପବିତ୍ର ବନ୍ୟପ୍ରାଣୀ ଅଭୟାରଣ୍ୟ ସହ ସଂଯୋଗ ବୃଦ୍ଧି କରିବ । ଏହାଛଡ଼ା ମେଘାଳୟର ଶିଲଂ, ଚେରାପୁଞ୍ଜି, ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଓ ପାସିଘାଟରେ ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ ।
ନଅ ବର୍ଷର ଏନଡିଏ ସରକାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମୟ ମଧ୍ୟରେ ନବ ଭାରତ ଗଠନ ଦିଗରେ ଅଭୁତପୂର୍ବ ପରିବର୍ତ୍ତନ ହୋଇଛି । ସେ ସ୍ୱାଧୀନ ଭାରତର ଭବ୍ୟ ସଂସଦ ଭବନର ନୂତନ ଭାବେ ଉଦଘାଟନ ଉପରେ ଆଲୋକପାତ କରିବା ସହ ଏହା ହଜାର ବର୍ଷର ଗଣତାନ୍ତ୍ରିକ ଭାରତୀୟ ଇତିହାସ ସହ ଭବିଷ୍ୟତରେ ସମୃଦ୍ଧଶାଳୀ ଗଣତନ୍ତ୍ରକୁ ସଂଯୋଗ କରିବ ବୋଲି କହିଥିଲେ । ପୂର୍ବ ସରକାରଙ୍କ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ନିକ୍ଷେପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୦୪ ପୂର୍ବରୁ ହେରାଫେରି ସବୁ ରେକର୍ଡ ଭାଙ୍ଗି ଦେଇଥିଲା ଓ ଏହା ଦ୍ୱାରା ଗରିବ ଓ ଅନଗ୍ରସର ହୋଇ ରହି ଯାଇଥିବା ରାଜ୍ୟଗୁଡ଼ିକ ବିକାଶ ଦୃଷ୍ଟିରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ।
“ଆମ ସରକାର ଗରୀବ କଲ୍ୟାଣକୁ ପ୍ରାଥମିକତା ଦେଉଛି” ବୋଲି କହି ପ୍ରଧାନମନ୍ତ୍ରୀ ଘର, ଶୌଚାଳୟ, ଟ୍ୟାପ ଯୋଗେ ପାଣି, ବିଦ୍ୟୁତ, ଗ୍ୟାସ ପାଇପ ଲାଇନ, ଏମ୍ସର ବିକାଶ, ସଡ଼କ, ରେଳପଥ, ବିମାନପଥ, ଜଳପଥ, ବନ୍ଦର ଓ ମୋବାଇଲ ସଂଯୋଗ ଇତ୍ୟାଦିର ଉଦାହରଣ ଦେଇଥିଲେ । ଏହି ସବୁ ଲକ୍ଷ୍ୟ ହାସଲ ପାଇଁ ସରକାର ପୂରା ଦମରେ କାର୍ଯ୍ୟ କରିଛନ୍ତି । ଭିତ୍ତିଭୂମିର ବିକାଶ ଯୋଗୁ ଜନସାଧାରଣଙ୍କ ଜୀବନଧାରଣ ସହଜ ହେବା ସହ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରି ବିକାଶର ମୂଳଦୁଆ ସ୍ଥାପନ କରିଛି । ଭାରତର ଭିତ୍ତିଭୂମି ବିକାଶର ଗତି ଆଜି ବୈଶ୍ୱିକ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ । ଏହି ଭିତ୍ତିଭୂମି ବିକାଶ ଗରୀବ ଓ ଅନଗ୍ରସରଙ୍କୁ ସଶକ୍ତ କରିବା ସହ ଦଳିତ, ଆଦିବାସୀ ଓ ସମାଜର ଅନ୍ୟାନ୍ୟ ବଂଚିତ ଜନସାଧାରଣଙ୍କୁ ମଧ୍ୟ ସଶକ୍ତ କରିଛି । “ଭିତ୍ତିଭୂମି ସମସ୍ତଙ୍କ ପାଇଁ, ଏଥିରେ କୌଣସି ବାଛ ବିଚାର ନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହା ହିଁ ପ୍ରକୃତ ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତା ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଭିତ୍ତିଭୂମି ବିକାଶର ସବୁଠାରୁ ଅଧିକ ସୁବିଧା ପାଇଛନ୍ତି ଭରାତ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଜନସାଧାରଣ । ଉତ୍ତର ପୂର୍ବାଞ୍ଚଳର ଜନସାଧାରଣ ଦଶନ୍ଧି ଦଶନ୍ଧି ଧରି ଏପରିକି ମୌଳିକ ଆବଶ୍ୟକତାରୁ ମଧ୍ୟ ବଞ୍ଚôତ ଥିଲେ । ଅନେକ ଗ୍ରାମ ଓ ପରିବାର ନିକଟରେ ବିଦ୍ୟୁତ, ଟେଲିଫୋନ ଓ ସଡ଼କ ଓ ବିମାନ ଯୋଗାଯୋଗ ନଅ ବର୍ଷ ଆଗରୁ ନ ଥିଲା ବୋଲି ସେ କହିଥିଲେ ।