
ନୂଆଦିଲ୍ଲୀ,କମ୍ବୋଡିଆର ରାଜା ନୋରୋଡମ ସିହୋମନିଙ୍କୁ ଆଜି ସକାଳେ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଛି । ତାଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । କମ୍ବୋଡିଆର ରାଜା ନୋରୋଡମ ସିହୋମନିଙ୍କ ଏହା ହେଉଛି ପ୍ରଥମ ଭାରତ ଯାତ୍ରା । ସେ ତାଙ୍କର ତିନି ଦିନିଆ ସରକାରୀ ଭାରତ ଯାତ୍ରାରେ ସୋମବାର ସଂଧ୍ୟାରେ ନୂଆଦିଲ୍ଲୀରେ ପହଂଚିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ମାନଙ୍କ ସହ କମ୍ବୋଡିଆର ରାଜା ନୋରୋଡମ ସିହୋମନିଙ୍କ ସହ ପରିଚୟ କରାଇଥିଲେ । ଏହା ପରେ ରାଜା ନୋରୋଡମ ସିହୋମନି ମହାତ୍ମା ଗାନ୍ଧୀଙ୍କ ସମାଧି ରାଜଘାଟ ଠାରେ ପହଂଚି ସେଠାରେ ଶ୍ରଦ୍ଧାସୁମନ ଅର୍ପିତ କରିଥି୍ଲେ ।
ଅନ୍ୟ ପକ୍ଷରେ ଆଜି କମ୍ବୋଡିଆର ରାଜା ନୋରୋଡମ ସିହୋମନି ପ୍ରଥମେ ଡ. ଏସ ଜୟଶଙ୍କର ଓ ପରେ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ । ଏହା ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କମ୍ବୋଡିଆର ରାଜା ନୋରୋଡମ ସିହୋମନିଙ୍କ ଏହି ଯାତ୍ରା ଭାରତ ଓ କମ୍ବୋଡିଆ ମଧ୍ୟରେ ଥିବା ସଭ୍ୟତାଗତ ସମ୍ପର୍କକୁ ମଜବୁତ କରିବାରେ ସହାୟକ ହେବ । ଭାରତ କମ୍ବୋଡିଆରେ ଥିବା ମନ୍ଦିର ଗୁଡିକର ଜୀର୍ଣୋଦ୍ଧାର କାର୍ଯ୍ୟ କରୁଛି ।