
-
ପୋଲ ଗୟଳ ଚଉପଟ କାର୍ଯ୍ୟ ତିନିରଥର ମହାରଣା ଙ୍କ ଦ୍ଵାରା ଆଗେଇ ଚାଲିଛି,
୩୫ ତମ ଦିବସ ରବିବାରରେ ରଥଖଳାରେ ମୋଟ-୧୯୮ ତିନିରଥର ନିର୍ମାଣକାରୀ ସେବକ ମାନେ ଉପସ୍ଥିତ ଥିଲେ |ସେଥିମଧ୍ୟରୁ ତିନିରଥର ମୋଟ ମହାରଣା-୭୭, ତିନିରଥର ଭୋଇ ସେବକ-୭୭,ତିନିରଥର କରତି ସେବକ- ୪,
ତିନିରଥର କମାର ସେବକ – ୧୭,ପାହି ମହାରଣା-୨, ତୁମ୍ବ ବିନ୍ଧ କାରିଗର- ୧,ତିନିରଥର ରୂପକାର ସେବକ-୧୯ ଏବଂ ରଥଖଳା ସହାୟକ(ପାଣିବାଲା)୧ ଜଣ ଉପସ୍ଥିତ ଥିଲେ |
ଗତକାଲି ମହାରଣାଙ୍କ ଏବଂ ଭୋଇ ସେବକଙ୍କ ସହାୟତାରେ ତିନିରଥର ଚକ ଦିଗ ନିର୍ଣ୍ଣୟ ପୂର୍ବକ ଚକ-ଅଖ ଥାକ କରାଯାଇ ପାଞ୍ଚ ଦଣ୍ଡା ମୁଖ୍ୟ ମହାରଣାଙ୍କ ଦ୍ଵାରା ଅନୁକୂଳ ପୂଜା ପରେ ପାଞ୍ଚ ଦଣ୍ଡା ତିନି ରଥକୁ ଉଠି ସେଟିଙ୍ଗ କରାଯାଇ ପାଞ୍ଚ ଦଣ୍ଡାରେ ଆଗ ଆଣି ପଛଆଣି ମୁହଁଟ ଲାଗିଥିଲା |
ରବିବାର ପୂର୍ବାହ୍ନରେ ତିନିରଥର ମୁଖ୍ୟ ମହାରଣା, ସହଯୋଗୀ ମହାରଣାଙ୍କ ସମେତ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ଦଣ୍ଡା ଖୋଲାଯାଇ ଦଣ୍ଡା ଗୁଡିକର ଗୋଳେଇ (ଅଖ ସହ ଦଣ୍ଡା ସେଟିଙ୍ଗ ପାଇଁ କାପ କରାଯିବା) କରାଯାଇଥିଲା, ପୁନଃ ତିନିରଥର କାପ ହୋଇଥିବା ଦଣ୍ଡାକୁ ଅଖ ସହ ସେଟିଙ୍ଗ ପରେ ଅଖ-ଅଖକୁ କୁଡୁକା ଦ୍ୱାରା ସଂଯୋଗ କରାଯାଇ କତା ଦଉଡି ରେ ବନ୍ଧା ଯାଇଥିଲା।
ଏହାପରେ ତିନିରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟ ରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ମୁହାଁଟ ରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ଉଠିଥିଲା |
ଅପରାହ୍ନରେ ତିନିରଥର ଦଣ୍ଡା ଫ୍ରେମ ମଜବୁତ ପାଇଁ “କଣ୍ଟା ବାଡ଼ିଆ” କାର୍ଯ୍ୟ ତିନିରଥର ମୁଖ୍ୟ ଓଝା ସେବକ ମାନଙ୍କ ଦ୍ୱାରା ଅନୁକୂଳ ପୂଜା ପରେ ତିନିରଥର ମୁଖ୍ୟ ମହାରଣାଙ୍କ ସମେତ ଭୋଇ ସର୍ଦାର ରବି ଭୋଇଙ୍କ ନେତୁର୍ତ୍ତ୍ୱରେ ଭୋଇ ସେବକ ମାନେ ଏବଂ ତିନିରଥର ମୁଖ୍ୟ ଓଝା ସେବକ ଯଥା ତାଳଧ୍ୱଜ ରଥର ଶ୍ରୀ ଜଗନ୍ନାଥ ମହାରଣା, ଦର୍ପଦଳନ ରଥର ଶ୍ରୀ କେଦାର ମହାରଣା ଏବଂ ନନ୍ଦିଘୋଷ ରଥର ଶ୍ରୀ ଦାଶରଥି ମହାରଣାଙ୍କ ନେତୁର୍ତ୍ତ୍ୱରେ ଓଝା ସେବକ ମିଶି ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ଜରିଛନ୍ତି।
ଏଥି ସହିତ ଆଜି ତିନି ରଥ ଚାଳି ରେ ପୋଲ ଗୟଳ ଚଉପଟ କାର୍ଯ୍ୟ ତିନିରଥର ମହାରଣା ଙ୍କ ଦ୍ଵାରା ଆଗେଇ ଚାଲିଛି ।
ତାଳଧ୍ୱଜ ରଥର ଆଜି ସୁଦ୍ଧା ୪ଗୋଟି ବଡ଼ ପୋଲ ଗୟଳ ଚଉପଟ କାର୍ଯ୍ୟ ଶେଷ ହେବା ସହ ଏକଟି ପାର୍ଶ୍ୱ ଗୟଳ ର ଚଉପଟ ଶେଷ ହୋଇ ଦୁଇଟି ପାର୍ଶ୍ୱ ଗୟଳ ର ହଣା କାର୍ଯ୍ୟ ଜାରି ରହିଛି । ଏଥିସହ ଅଣସର ଗୟଳ ୩ ଟିର ନିର୍ମାଣ ଶେଷ ହୋଇଅଛି।
ଦର୍ପଦଳନ ରଥର ଦୁଇଟି ବଡ଼ ପୋଲ ଗୟଳ ଚଉପଟ ଶେଷ ହେବାସହ ଗୋଟିଏ ପାର୍ଶ୍ୱ ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇଛି ।
ନନ୍ଦିଘୋଷ ରଥର ୬ ଗୋଟି ବଡ଼ ପୋଲ ଗୟଳ ନିର୍ମାଣ ଶେଷ ହୋଇ ଛନ୍ଦା ଗୟଳ ୩ ଟିର ନିର୍ମାଣ ଶେଷ ହୋଇଛି ।
ରୂପକାର ସେବକ ମାନେ ତିନି ରଥର ‘ସିଂହାସନ ରାୟ’ ଏଇ ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ।
ପାହି ମହାରଣା ମାନେ ଦୋଳବେଦୀ ଠାରେ ବସନ୍ତ ମହାରଣା ଙ୍କ ନେତୃତ୍ୱରେ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ରେ ମହାପ୍ରଭୁଙ୍କ ନୀତି କାନ୍ତି ପାଇଁ କାଠ ନିର୍ମିତ ସାଜ ଯଥା କୁରୁମ ପିଢ଼ା, ବେଶ ଘୋଡ଼ିଆ, ଚାଙ୍ଗଡ଼ା ଇତ୍ୟାଦି ନିର୍ମାଣ ଜାରି ରାଖିଛନ୍ତି |ଏହି କାର୍ଯ୍ୟରେ ତୁମ୍ବ ବିନ୍ଧ କାରିଗର ପାହି ମହାରଣା ମାନଙ୍କ ସହ ମିଶି କାଠ ସାଜ ନିର୍ମାଣରେ ସହାୟତା କରୁଛନ୍ତି |