
ଗଂଜାମ,ବ୍ରହ୍ମପୁର ସହରର ୱାର୍ଡ ନମ୍ବର ୧୪ ଏବଂ ୪୦ ରେ ଜାତୀୟ ସହରାଞ୍ଚଳ ସ୍ଵାସ୍ଥ୍ୟ ମିଶନ ଏବଂ ମହିଳା ଆରୋଗ୍ୟ ସମିତି ପକ୍ଷରୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ କିଶୋରୀ ଏବଂ ବିବାହିତ ମହିଳା ମାନେ ଋତୁସ୍ରାବ ସମୟରେ ନିଜର ଉତ୍ତମ ସ୍ଵାସ୍ଥ୍ୟ ରକ୍ଷା ପାଇଁ ପରିଷ୍କାର ପରିଛନ୍ନତା ଅତ୍ୟନ୍ତ ଜରୁରୀ। ଆଙ୍କୁଲି ଆନନ୍ଦ ନଗର ୱାର୍ଡ ନମ୍ବର ୪୦ ରେ ଆଶାକର୍ମୀ ମିଲି ନାୟକଙ୍କ ନେତୃତ୍ଵରେ ସ୍ବର୍ଣ୍ଣ ମହି ମହିଳା ଆରୋଗ୍ୟ ସମିତି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ସେହିଭଳି ୱାର୍ଡ ନମ୍ବର ୧୪ ର ରଂଗୁଣୀ ବନ୍ଧ ଅଙ୍ଗନବାଡି କେନ୍ଦ୍ର ଠାରେ ଆଶାକର୍ମୀ ମମତା ମୟୀ ସ୍ଵାଇଁଙ୍କ ନେତୃତ୍ଵରେ ମହିଳା ସ୍ଵାସ୍ଥ୍ୟକର୍ମୀ ଝିଲି ଚର୍ଚ୍ଚି, ଅଙ୍ଗନବାଡି କର୍ମୀ ବବିନା ବେହେରା, ଆଶାକର୍ମୀ ଲଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି ସାହିର ମହିଳା ଓ କିଶୋରୀ ମାନଙ୍କୁ ଋତୁସ୍ରାବ ସମୟରେ ସ୍ଵଚ୍ଛତା ନରହିଲେ ଆମ ଶରୀର ଉପରେ କିଭଳି ପ୍ରଭାବ ପଡେ ଏହା ଉପରେ ବୁଝାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁସି ଯୋଜନାରେ ସମସ୍ତ ସ୍କୁଲ ମାନଙ୍କରେ ପାଠ ପଢ଼ୁଥିବା କିଶୋରୀ ମାନଙ୍କୁ ୬ ଟଙ୍କାରେ ଏକ ପକେଟ ନାପକିନ ପ୍ୟାଡ଼ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ସେହିଭଳି ସାହିରେ ପାଠ ପଢୁ ନଥିବା କିଶୋରୀ ମାନଙ୍କୁ ଆଶାକର୍ମୀ ମାଧ୍ୟମରେ ନାପକିନ ପ୍ୟାଡ଼ ବଣ୍ଟନ କରାଯିବା ବ୍ୟବସ୍ଥା କରାଯାଇଛି।