ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବିନିଦା ଗ୍ରାମରେ ଘଟିଛି ନାରକୀୟ କାଣ୍ଡ । ଉକ୍ତ ଗ୍ରାମର ପାଲାଗାୟିକା ସତ୍ୟଭାମା ସିଂହଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଖବର ଅନୁଯାୟୀ, ସେ ବିନିଦା ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ଯା ଓ ବର୍ତ୍ତମାନର ବିଜେପି ମଣ୍ଡଳ ସଭାପତି ଦାୟିତ୍ଵରେ ଥିଲେ । ସତ୍ଯଭାମାଙ୍କୁ କେହି ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ପଥରରେ ଛେଚି ହତ୍ଯା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ସଦର ଏସଡିପିଓ, ସାଇଣ୍ଟିଫିକ୍ ଟିମ୍ ସହିତ ପଣ୍ଡାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକାଶ ଯେ, ସତ୍ୟଭାମା ଅଭିବାହିତ ଥିବାବେଳେ ପାଲା ଗାୟକ ଭାବେ ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ । ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସତ୍ୟଭାମାଙ୍କ ପାଲା ଗାୟିକା ସହଯୋଗୀଙ୍କ ସହ କିଛି ଦିନ ହେବ କଳହ ଜାରି ରହିଥିଲା । ଯାହାକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ସତ୍ୟଭାମା ବିଜେପି ମଣ୍ଡଳ ଦାୟିତ୍ଵରେ ଥିବା ଯୋଗୁଁ ବିଜେପି ଟିମ୍ ପହଞ୍ଚି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି । ଏଭଳି ଘଟଣା ନୂତନ ହୋଇଥିଲା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତଦେହ ଦେଖିବାକୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି । ପରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ।