ହରିଚନ୍ଦନପୁର, ରଜ ଓଡ଼ିଶାର ଗଣପର୍ବ, ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ । ରଜ ଆଉ କିଛି ଦିନ ବାକି ରହିଥିବା ବେଳେ ଆଜିଠାରୁ ପୁର ପଲ୍ଲୀରେ ରଜ ଅନୁଷ୍ଠାନ ଗୁଡ଼ିକ ଖୁବ୍ ଧୁମ୍ ଧାମରେ ସଜବାଜ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ବରଗୋଡ଼ା ଗ୍ରାମ କଳିଙ୍ଗ ଯୁବକ ସଂଘ ସଭାପତି ନିରଞ୍ଜନ ସାହୁଙ୍କ ନେତୃତ୍ଵରେ ଖୁବ ଧୁମ୍ ଧାମରେ ଆରମ୍ଭ ହୋଇଛି ରଜ କୁଇନ ଅଡ଼ିସନ । ରଜ କୁଇନ ଅଡିସନରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ବରିଷ୍ଠ ଓ କନିଷ୍ଠ ଦୁଇଟି ବର୍ଗରେ ଝିଅମାନେ ଯୋଗଦେଇ ଆଡ଼ିସନ୍ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ନୃତ୍ୟ, ଗୀତ, ନାଚ ଓ କଳା ସଂସ୍କୃତିକୁ ନେଇ ଜ୍ଞାନଭିତ୍ତିକ ନିଜର ଦକ୍ଷତାକୁ ପ୍ରଦର୍ଶନ କରିଥିଲେ ।
ବିଚାରକ ଭାବେ କଳ୍ପତରୁ ଆଚାର୍ଯ୍ୟ, ଶାନ୍ତନୁ କୁମାର ରାଉତ, ବିଶ୍ଵଜିତ ବେଜ, ଲତାଶା ରାଉତ, ଅକ୍ଷୟ କୁମାର ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ କଳିଙ୍ଗ ଯୁବକ ସଂଘର ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ନରହରି ସାହୁଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ଅଡ଼ିସନ ପରିଚାଳନାରେ ସହଯୋଗ କରିଥିଲେ ।