
ନୂଆଦିଲ୍ଲୀ, ସ୍ଥାନୀୟ ବିଜ୍ଞାନ ଭବନରେ ଆୟୋଜିତ ‘ଜାତୀୟ ଅଲୋଚନାଚକ୍ର ‘ନ ବର୍ଷ:- ସେବା, ସୁଶାସନ ଓ ଗରିବ କଲ୍ୟାଣ’କୁ କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଓ ପ୍ରସାର ଭାରତୀର ସିଇଓ ଶ୍ରୀ ଗୌରବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୧୪ ପୂର୍ବବର୍ତ୍ତୀ ସରକାର ଓ ବର୍ତ୍ତମାନ ସରକାରର କାର୍ଯ୍ୟାବଳୀରେ ଏକ ତୁଳନାତ୍ମକ ବିବରଣୀ କରିଥିଲେ । ସେ କହିଥିଲେ ପୂର୍ବ ସରକାର ସମୟରେ ଦୁର୍ନୀତି ଓ ସ୍କାମର ପ୍ରାବଲ୍ୟ ଥିବାବେଳେ ବର୍ତ୍ତମାନର ସରକାର ବିଗତ ନଅ ବର୍ଷ ଧରି ନିଷ୍ଠାର ସହିତ (ପାଇ ପାଇ କରି) ଗରିବଙ୍କ କଲ୍ୟାଣ ନିମନ୍ତେ କାମ କରୁଛନ୍ତି । ଏଥିରେ ପ୍ରତ୍ୟେକଟି ପଇସା ଗରିବ କଲ୍ୟାଣ କାମରେ ବିନିଯୋଗ ହେଉଛି । ଦେଶରେ ଗରିବ, ଅସହାୟ ଓ ଅନ୍ୟାନ୍ୟ ବର୍ଗର ଲୋକ କଲ୍ୟାଣ ପାଇଁ ଯେଉଁସବୁ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ସେଥିରେ ଜନକଲ୍ୟାଣର ସଂଦେଶ ଓ ଚିତ୍ର ସ୍ପଷ୍ଟ ମିଳୁଛି । ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଗରିବ ଓ ନିରାଶ୍ରୟମାନେ ଅଗ୍ରାଧିକାର ପାଇଛନ୍ତି ।
ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇବା ଗରିବ ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି । ଏ କ୍ଷେତ୍ରରେ ସରକାର ଏଯାଏ ୩.୫ କୋଟି ଘର ତିଆରି କରିସାରିଛନ୍ତି ଏବଂ ଏସବୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଛି । ଏହି ଯୋଜନା ଗରିବ ଲୋକଙ୍କ ଜୀବନରେ ମାନକ ପରିବର୍ତ୍ତନ ଆଣିଛି । ସେ ଆହୁରି କହିଥିଲେ ଯେ ଦେଶର ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଇ ଦେବା ଏକ ଅତି କଷ୍ଟସାଧ୍ୟ କାର୍ଯ୍ୟ ଭାବେ ବିବେଚିତ ହୋଇ ଆସୁଥିଲା । ସେଥିପାଇଁ ଏ ଦିଗରେ କୌଣସି ସରକାର କାମ କରୁ ନ ଥିଲେ; ତେଣୁ ଏ କ୍ଷେତ୍ରରେ ବିଶେଷ କିଛି ଅଗ୍ରଗତି ହେଉ ନ ଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିନ୍ତୁ ଏହାକୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରି ଦେଶର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାର ସାହସିକ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହାର ଫଳସ୍ୱରୂପ ଏବେ ଦେଶର ୧୨ କୋଟି ପରିବାରର ଲୋକଙ୍କୁ ପାଇପ ଜଳ ସଂଯୋଗ ସୁବିଧା ମିଳିଛି । ସେହି ସମୟ ମଧ୍ୟରେ ସରକାର ମଧ୍ୟ ପାରମ୍ପରିକ ଚୁଲିର ଆବସାନ ଘଟାଇ ୯.୬ କୋଟି ପରିବାରକୁ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣର ବ୍ୟବସ୍ଥା କରିଛନ୍ତି ।
ମନ୍ତ୍ରୀ ଶ୍ରୀ ବୈଷ୍ଣବ ତାଙ୍କ ଭାଷଣରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ସମ୍ପର୍କରେ ଅନେକ କଥା କହିଥିଲେ । କରୋନା ମହାମାରୀ ସମୟର କଥା ସ୍ମରଣ କରି ସେ କହିଥିଲେ ଯେ ସରକାର ସେତେବେଳେ ଗରିବ ଓ ଅଭାବୀ ଲୋକଙ୍କ ସାମଗ୍ରୀ ପାଇବା ଅସୁବିଧା ଦୂର କରିବାକୁ ପଦକ୍ଷେପ ନେଇ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଣର ବ୍ୟବସ୍ଥା କରିଥିଲେ । ଶୌଚାଳୟ ଭଳି ଜନତାଙ୍କ ମୌଳିକ ମାନବୀୟ ଆବଶ୍ୟକତା ପୂରଣ ପାଇଁ ପୂର୍ବରୁ କୌଣସି ସରକାର ଚିନ୍ତା କରି କାମ କରି ନଥିବା ବେଳେ ମୋଦୀ ସରକାର ଏ କ୍ଷେତ୍ରରେ ଏକ ନୂଆ ଇତିହାସ ରଚନା କରିଛନ୍ତି । ଏହା ସମାବେଶୀ ଅଭିବୃଦ୍ଧିର ସୂଚନା ଦିଏ । ଲାଲକିଲ୍ଲାର ପ୍ରାଚୀର ଉପରୁ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜନକଲ୍ୟାଣ ଓ ବିକାଶର ଯେଉଁ ପ୍ରତିଶ୍ରୁତି ସବୁ ଦେଇଛନ୍ତି ତାହାକୁ କାର୍ଯ୍ୟକାରୀ କରୁଛନ୍ତି । ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ ଦେଶରେ ଏକ ବିପ୍ଳବ ଆଣିଥିବା ବେଳେ ମହିଳାଙ୍କ ନିରାପତ୍ତା ଓ ସାଧାରଣ ସ୍ୱଚ୍ଛତାକୁ ସୁରକ୍ଷିତ କରିଛି । ଦେଶର ୧୧.୭୨ ପରିବାରର ସରକାରୀ ଉଦ୍ୟମ କ୍ରମେ ଶୌଚାଳୟ ନିର୍ମିତ ହୋଇପାରିଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।
ରେଳବାଇ ମନ୍ତ୍ରୀ କହିଥିଲେ ଯେ ଭାରତରେ ଏବେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ଅଧୀନରେ କାର୍ଯ୍ୟକାରୀ ହେଉଛି । ଏଥିରେ ଗରିବ ହିତାଧିକାରୀଙ୍କୁ ଦେଶର ଉନ୍ନତ ହସ୍ପିଟାଲରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଯୋଗାଇ ଦିଆଯାଉଛି । ହିତାଧିକାରୀ ବିନା ଖର୍ଚ୍ଚରେ ଏହି ଯୋଜନାରେ ଉନ୍ନତ ଚିକିତ୍ସା ସୁବିଧା ପାଇ ଉପକୃତ ହେଉଛନ୍ତି । ଏହି ଯୋଜନାରେ ଉପକୃତ ହେଉଥିବା ଲୋକଙ୍କ ସଂଖ୍ୟା ଉଭୟ ଆମେରିକା ଓ ରୁଷିଆର ମିଳିତ ଜନସଂଖ୍ୟା ଠାରୁ ଅଧିକ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାମାଜିକ ନ୍ୟାୟର ଏକ ନୂଆ ସଂଜ୍ଞା ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିବା ସହିତ ଏହା ଜନତାଙ୍କୁ ତୋଷାମଦ ପରିବର୍ତ୍ତେ ସଶକ୍ତ କରୁଥିବା ମତ ଦେଇଛନ୍ତି ।
ଦେଶର ଘରୋଇ ଭିତ୍ତିଭୂମି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏବେକାର ସରକାର ଏ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଛନ୍ତି । ପୂର୍ବ ସରକାର ଯାହା ଚିନ୍ତା କରିପାରି ନ ଥିଲେ ବର୍ତ୍ତମାନର ସରକାର ତାହାକୁ କରି ଦେଖାଇଛନ୍ତି । ଦେଶରେ ଗତ ନ’ ବର୍ଷ ମଧ୍ୟରେ ୭୪ଟି ନୂଆ ବିମାନବନ୍ଦର, ୯୧ ହଜାର କିଲୋମିଟର ନୂଆ ସଡ଼କ ନିର୍ମିତ ହୋଇଛି । ସ୍ୱାଧୀନତା ପରଠାରୁ ୨୦୧୪ ଯାଏ ଦେଶରେ ମୋଟ ୫୪ ହଜାର କିଲୋମିଟର ସଡ଼କ ନିର୍ମିତ ହୋଇଥିଲା । ୨୦୧୪ ପର୍ଯ୍ୟନ୍ତ ଭାରତରେ କୌଣସି ଜଳପଥ ନ ଥିଲା । ଏବେ ୧୧ଟି ଜଳପଥ ସୃଷ୍ଟି କରାଯାଇଛି । ଭାରତୀୟ ରେଳଷ୍ଟେସନ ଗୁଡ଼ିକରେ ବିମାନବନ୍ଦର ଭଳି ସୁବିଧା ଉପଲବ୍ଧ ହେଉଛି । ଭାରତ ଦୀର୍ଘକାଳ ପର୍ଯ୍ୟନ୍ତ ବିଶ୍ୱ ଅର୍ଥନୀତିକ ରାଙ୍କରେ ତଳେ ପଡ଼ିଥିଲା । ଏବେ ଏହା ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଏହା ମାତ୍ର ୯ ବର୍ଷର ଉପଲବ୍ଧି । ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି ଯେ ଆଉ ଦୁଇବର୍ଷ ମଧ୍ୟରେ ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଆଉ ଛ’ ବର୍ଷ ପରେ ଏହି ବିଶ୍ୱର ତୃତୀୟ ବୃହତ ଅର୍ଥନୀତିର ମାନ୍ୟତା ପାଇବ । ସେ ମଧ୍ୟ ଜାତୀୟ ନିରାପତ୍ତା କ୍ଷେତ୍ରରେ ସରକାରଙ୍କ ଦୃଢ଼ ସଂକଳ୍ପ ଓ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ତାଙ୍କ ଭାଷଣରେ କହିଥିଲେ ଯେ ବିଗତ ନ’ ବର୍ଷରେ ଭାରତ ନାଟକୀୟ ପରିବର୍ତ୍ତନମାନ ଦେଖିଛି । ସାଧାରଣ ଜନତାଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ଏହି ସରକାରଙ୍କ ଠାରୁ ଲୋକେ ଯାହା ଆଶା କରୁଥିଲେ ତା’ଠାରୁ ଅଧିକ ସରକାର କରିବାରେ ସମର୍ଥ ହୋଇଛନ୍ତି । କେତେକ ଉଦାହରଣ ଦେଇ ସେ କହିଥିଲେ ଯେ ଅତୀତରେ ଭାରତର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ଓ ଅସ୍ଥିର ଥିଲା । ଏଥିରେ ଦୁର୍ନୀତି ପୂରି ରହିଥିଲା । ଏବେ ଭାରତ ମାତ୍ର ୯ ବର୍ଷ ମଧ୍ୟରେ ସେ ସ୍ଥିତିକୁ ବଦଳାଇବାରେ ସମର୍ଥ ହୋଇଛି । ଭାରତ ଏକ ଦୁର୍ବଳ ଅର୍ଥନୀତିରୁ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇଛି ।
ଶ୍ରୀ ଠାକୁର ଆହୁରି କହିଥିଲେ ଯେ ଅତୀତରେ ସରକାରୀ ଯୋଜନାଗୁଡ଼ିକର ଲାଭ ଅଳ୍ପ କେତେକ ହିତାଧିକାରୀଙ୍କ ପାଖରେ ପହଂଚିଥିଲା । ଭାରତ ସରକାର ଏ କ୍ଷେତ୍ରରେ ‘ଅନ୍ତ୍ୟୋଦୟ’ର ଭାବନା ନେଇ କାମ କରିବା ସହିତ ପ୍ରକୃତ ଲାଭାର୍ଥୀ ପାଖରେ ଯୋଜନାର ସୁଫଳ ସମ୍ପୂର୍ଣ୍ଣ ଭାବେ ପହଂଚାଇବାରେ ସଫଳ ହୋଇଛନ୍ତି । ସମାଜର ଶେଷତମ ଦୁର୍ବଳ ବ୍ୟକ୍ତିର ବିକାଶ ଓ କଲ୍ୟାଣ ପାଇଁ ସରକାର ଅଙ୍ଗୀକୃତ ହୋଇ କାମ କରୁଛନ୍ତି । ଏଥିରେ ଆମ ଉଦ୍ୟମର ସଫଳତା ନିହିତ ହୋଇଛି । ଏହାଫଳରେ ୨୭% ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ସେବା, ବଡ଼ ବିଚାର, ସୁଶାସନ, ଟେକ୍ନୋଲୋଜିର ପ୍ରୟୋଗ, ସେବା ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରକ୍ଷା ଯୋଗୁ ବ୍ୟବସ୍ଥାରେ ଉନ୍ନତି ଆସିଛି ଏବଂ ଜନସେବା ବ୍ୟବସ୍ଥାର ଲାଭ ଶେଷତମ ବ୍ୟକ୍ତି ପାଇବାରେ ସଫଳ ହୋଇଛନ୍ତି ।
ସେ କହିଛନ୍ତି ଯେ ସରକାର ଉପନିବେଶବାଦୀ କାଳର ସନ୍ତକ ଓ ଚିହ୍ନବର୍ଣ୍ଣର ଅବସାନ ଘଟାଇ ନୂଆ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ରାଜପଥକୁ କର୍ତ୍ତବ୍ୟ ପଥରେ ପରିବର୍ତ୍ତନ କରିବା ଓ ନୂଆ ସଂସଦ ଭବନ ନିର୍ମାଣ ଏହାର ଉଦାହରଣ ମାତ୍ର । ନୂଆ ଭାରତ ନିର୍ମାଣରେ ଯୁବ ଶକ୍ତିର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହି ଆସୁଛନ୍ତି ତାହାକୁ ସାକାର କରିବାକୁ ଦେଶର ଯୁବକଯୁବତୀ ଅଙ୍ଗୀକୃତ ହୋଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦେଶରେ ପ୍ରାୟ ଏକ ଲକ୍ଷ ଷ୍ଟାର୍ଟଅପ ଓ ଏକ ଶହରୁ ଅଧିକ ୟୁନିକର୍ଣ୍ଣ ଗଠନ ହେବା ଆମ ଯୁବବର୍ଗର ଏକ ଉଲ୍ଲେଖନୀୟ ଉପଲବ୍ଧି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ହର୍ ଘର୍ ତିରଙ୍ଗା ଅଭିଯାନ କେବଳ ଆମ ଜାତୀୟ ପତାକା ପ୍ରତି ଆମର ସମ୍ମାନ ବଢ଼ାଇ ନାହିଁ; ଏହାଦ୍ୱାରା ଭାରତୀୟ ଜାତୀୟ ପତାକା ବିଶ୍ୱରେ ସବୁଠୁ ଶକ୍ତିଶାଳୀ ହୋଇଛି ବୋଲି ସେ କହିଥିଲେ ।