ମାଲକାନଗିରି, ମାଲକାନଗିରି ଜିଲ୍ଲାର ଜଣାଶୁଣା ଚେହେରା ଖଇରପୁଟ ନିବାସୀ ଚିତ୍ତ ପଟନାୟକ। ପୂର୍ବରୁ ସେ କଂଗ୍ରେସ ଦଳରେ ଥିଲେ ଏବଂ ପ୍ରଦୀପ ମାଝିଙ୍କ ଦୃଢ଼ ସମର୍ଥକ ରହିଥିଲେ। ଦିନେ ପ୍ରଦୀପ ମାଝିଙ୍କ ନେତୃତ୍ଵରେ ଜିଲ୍ଲାରେ କଂଗ୍ରେସର ଦବଦବା ଥିଲା। ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଅନେକ ଥର ଆନ୍ଦୋଳନ ହୋଇଛି। ସେତେବେଳେ ଚିତ୍ତ ପଟନାୟକ କଂଗ୍ରେସ ଦଳରେ ରହି ଖଇରପୁଟ, ଚିତ୍ରକୋଣ୍ଡା ଓ ସ୍ଵାଭିମାନ ଅଞ୍ଚଳର ଲୋକଙ୍କୁ ନେଇ ଭଲ ସଂଗଠନ ଗଢ଼ିଥିଲେ। ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଥିଲେ। ଲୋକେ ବି ପସନ୍ଦ କରୁଥିଲେ। ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ରାସ୍ତାରୋକ କରୁଥିଲେ। ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଯୋଗ ଦେଉଥିଲେ। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଚିତ୍ତ ପଟନାୟକଙ୍କ ବେଶ ଖାତିର ରହିଥିଲା। ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେବାପରେ ଚିତ୍ତ ପଟନାୟକ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ବିଜେଡିରେ ସାମିଲ ହେଲେ। ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନ ବେଳେ ସେ ନିଜ ଘର କଥା ଭୁଲିଯାଇ ଦିନରାତି ଏକ କରି ଦଳ ପାଇଁ କାର୍ଯ୍ୟକରିଥିଲେ। ସାଧାରଣ ନିର୍ବାଚନ ହେବାର ଚାରି ବର୍ଷ ବିତିଗଲାଣି ଚିତ୍ତ ପଟନାୟକ କଣଠେସା ହୋଇ ରହିଛନ୍ତି। ଆଗ ଭଳି ଆଉ ତାଙ୍କର ଖାତିର ନାହିଁ କି ସେଭଳି କିଛି ଭୂମିକା ନ ଥିବା ଦେଖାଯାଇଛି। ବିଜେଡି ଦଳର କିଏ ବି ସେଭଳି ତାଙ୍କୁ ପଚାରୁ ନାହାନ୍ତି କି ସଭାସମିତି ହେଲେ ବି ଡାକୁ ନାହାନ୍ତି।
ଚିତ୍ତ ପଟନାୟକଙ୍କ କହିବାନୁସାରେ, କଂଗ୍ରେସ ଦଳରୁ ଯେଉଁ କର୍ମୀମାନେ ତାଙ୍କ ନେତୃତ୍ଵରେ ବିଜେଡିରେ ସାମିଲ ହେଲେ ସେମାନଙ୍କୁ ଅଣଦେଖା କରାଯାଇଛି। ସେଥିପାଇଁ ଖଇରପୁଟ, ମାଥିଲି ଓ ଚିତ୍ରକୋଣ୍ଡା ଅଞ୍ଚଳର ଅନେକ କର୍ମୀ ବିଜେଡି ଛାଡିବା ପାଇଁ ମନ ସ୍ଥିର କରିଛନ୍ତି। ତେବେ ବେଜେଡି ଛାଡିବା ପରେ କେଉଁ ଦଳରେ ସାମିଲ ହେବେ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ଚିତ୍ତ।