-
ଅଭିଯୋଗ ପ୍ରତ୍ୟାହାର ନକଲେ ପୀଡିତାଙ୍କୁ ମାରି ଦେବା ପାଇଁ ଧମକ,
-
ନଗ୍ନ ଫଟୋରେ ଅଶ୍ଳୀଳ ମନ୍ତବ୍ୟ ଦେଇ ପ୍ରତାରଣା ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ , ପୁରୀ,
ବିବାହର ପ୍ରତିଶ୍ରୁତି ଦେଇ ପୁଲିସ କର୍ମଚାରୀଙ୍କ ପୁଅ ଜଣେ ଯୁବତୀଙ୍କୁ ବାରମ୍ବାର ବଳାତ୍କାର ପରେ ହତ୍ୟା ଧମକ ଦେବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଘଟଣା ଜଣାପଡ଼ିବା ପରେ ପୁଲିସ କର୍ମଚାରୀ ଜଣଙ୍କ ପୁଅ ବିରୋଧରେ କରିଥିବା ଅଭିଯୋଗ ଥାନାରୁ ପ୍ରତ୍ୟାହାର ନକଲେ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିବା ଯୁବତୀ ଜଣଙ୍କ ଥାନାରେ ଆଉ ଏକ ଅଭିଯୋଗ କରିଛନ୍ତି । ସଦର ଥାନା ଅନ୍ତର୍ଗତ ଆମ୍ବପଡା ଗ୍ରାମର ପୀଡ଼ିତା ଜଣଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ସେ ଏକ ବେସରକାରୀ ଫାଇନାନ୍ସ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ୮ ବର୍ଷ ତଳେ ତାଙ୍କୁ ବିବାହ
ପାଇଁ ପ୍ରତିଶ୍ରୁତି ଦେଇ ବ୍ରହ୍ମଗିରି ଖୂଳକଣ୍ଟିଆ ଗ୍ରାମର ଜଣେ ଯୁବକ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଦୀର୍ଘଦିନର ସମ୍ପର୍କ ପରେ ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଯୁବକ ଜଣଙ୍କ କେତେକ ନଗ୍ନ ଫଟୋରେ ଅଶ୍ଳୀଳ ମନ୍ତବ୍ୟ ଦେଇ ସାମାଜିକ ଗଣମାଧ୍ୟମରେ ତାଙ୍କୁ ନିନ୍ଦିତ କରୁଛନ୍ତି। ଏହାର ପ୍ରତିବାଦ କରିବାରୁ ସେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଯୁବକଙ୍କ ବିବାହ ଅନ୍ୟତ୍ର ହେଉଥିବା ଜଣାପଡିବା ପରେ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ସଦର ଥାନା ଦ୍ବାରସ୍ଥ ହୋଇଛନ୍ତି। ଅପରପକ୍ଷେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ସମ୍ପର୍କରେ ଜାଣିବା ପରେ ଯୁବକଙ୍କ ବାପା ପୁଲିସ କର୍ମଚାରୀ ଯୁବତୀଙ୍କୁ ଧମକ ଦେଇଥିବା ଥାନାରେ ଆଉ ଏକ ଅଭିଯୋଗ ହୋଇଛି।ଏ ସମ୍ପର୍କରେ ସଦର ଥାନା ଅଧିକାରୀ ସୁଶାନ୍ତ ବେହେରା କହିଛନ୍ତି ଯେ,ଉଭୟ ପୁଅ ଓ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ।ଯୁବତୀ ଜଣଙ୍କ ଅଭିଯୋଗ କରିବା ପରେ ଭଦ୍ରଲୋକଙ୍କ ଉପସ୍ଥିତରେ ଘଟଣାର ଆପୋସ ବୁଝାମଣା ହୋଇଛି ।