ଚମ୍ପୁଆ, ବାପାଙ୍କ ମୃତ୍ୟୁର ୪ ବର୍ଷ ନ ପୂରୁଣୁ ଅନ୍ୟ ପୁରୁଷର ହାତ ଧରି ଚାଲି ଗଲେ ମା” । ବାପା, ମା ଙ୍କୁ ହରାଇ ଦୁଇ ଭାଇ ଭଉଣୀ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିବାବେଳେ ବର୍ତ୍ତମାନ ପିଲାଙ୍କ ପାଇଁ କକା ହିଁ ସାଜିଛନ୍ତି ଏକ ମାତ୍ର ସାହା ଭରସା ।
ସୂଚନା ମୁତାବକ, କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ଗୋବିନ୍ଦ ମୁଣ୍ଡା ଗତ ୪ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ସ୍ଵାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ମନ୍ଦାକିନୀ ମୁଣ୍ଡା ଦୁଇ ଶିଶୁଙ୍କୁ ନେଇ ଘର ଚଳାଇ ଆସୁଥିଲେ । କିନ୍ତୁ, ପ୍ରାୟ ୨ ମାସରୁ ଅଧିକ ହେବ ମନ୍ଦାକିନୀ ଅନ୍ୟ ଏକ ପୁରୁଷର ହାତ ଧରି ଚାଲି ଯିବା ପରେ ବାପା ମା”ଙ୍କୁ ହରାଇ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଛନ୍ତି ୨ ଶିଶୁ। ପୁଅ ଆକାଶ ମୁଣ୍ଡା(୯) ଓ ଝିଅ ସୁଲୋଚନା ମୁଣ୍ଡା(୭) । ଫଳରେ ଏହି କୋମଳମତି ଶିଶୁ ୨ ଜଣ ସମ୍ପୁର୍ଣ୍ଣ ଅସହାୟ ଅବସ୍ଥାରେ ଏକମାତ୍ର ଭଙ୍ଗା ଦଦରା ଚାଳ ଘରେ ମୁଣ୍ଡ ଗୁଞ୍ଜି ରହିଛନ୍ତି । ତାଙ୍କର ଏପରି ଦୁର୍ଦିନରେ କକା ବଳିଆ ମୁଣ୍ଡା ଏକ ମାତ୍ର ସାହା ଭରସା ସାଜିଛନ୍ତି । କକା ବଳିଆଙ୍କ ପରିବାରରେ ମଧ୍ୟ ତାଙ୍କ ସ୍ତ୍ରୀ ଏବଂ ୨ ପିଲାଙ୍କ ସହିତ ଦୁଇ ଜଣ ବଡ ଭାଇ ଗୁଟକା ମୁଣ୍ଡା ଓ କାଳିଆ ମୁଣ୍ଡା ରହିଛନ୍ତି । ଗୁଟକା ମୁଣ୍ଡା (୬୦)ଙ୍କ ବୟସ ଅଧିକ ହେତୁ କୌଣସି କାମ କରି ପାରୁ ନଥିବା ବେଳେ କାଳିଆ ଦୀର୍ଘ ଦିନରୁ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ବୋଝ ଉପରେ ନଳିତା ବିଡା ପରି ମା’ ବାପାଙ୍କୁ ହରାଇ ଥିବା ଦୁଇ ଶିଶୁ ଆକାଶ ଓ ସୁଲୋଚନା ପରିବାରରେ ଯୋଡି ହେବାପରେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବଳିଆ ପାଇଁ ପର ଘରେ ମୁଲ ଲାଗି ଏହି ଆଠ ଜଣିଆ ପରିବାର ପାଇଁ ଆହାର ଯୋଗାଡ଼ କରିବା କଷ୍ଟକର ହୋଇ ପଡିଛି । ଫଳରେ ଆଗକୁ ଏହି ଅସହାୟ ଭାଇ ଭଉଣୀଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଦୁଇ ଭାଇ ଭଉଣୀ ଆହାର ଯୋଜନାରେ ମଧ୍ୟ ସାମିଲ ହୋଇ ନ ଥିବାରୁ ରେସନ କାର୍ଡରେ ପାଞ୍ଚ କିଲୋ ଚାଉଳ ମଧ୍ୟ ପାଉ ନାହାନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ମା” ମନ୍ଦାକିନୀଙ୍କ ନାମ ରହିଛି । କିନ୍ତୁ, ସେ ଅନ୍ୟ ପୁରୁଷ ସହିତ ଚାଲି ଯିବାପରେ ପିଲାମାନଙ୍କୁ ଆବାସ ଯୋଜନାରେ ଘର ମିଳିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି । ପୁଅ ଆକାଶ କୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ପାଠ ପଢ଼ିବାକୁ ଇଛା ଥାଇ ବି ସୁଲୋଚନା ସ୍କୁଲରେ ପାଦ ଥାପି ପାରିନାହିଁ । ଦେଖିବାକୁ ଗଲେ ରହିବା, ଖାଇବା ସହିତ ଶିକ୍ଷା, ସ୍ଵାସ୍ଥ୍ୟ ସବୁ ଦୃଷ୍ଟିରୁ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି। ଏପରି ଏକ ହୃଦୟ ବିଦାରକ ଖବର ବିଗତ ଦିନରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ମାଇଲ ଟ୍ରଷ୍ଟ ର ସଭାପତି ନାରାୟଣ ପ୍ରସାଦ ଦାସ, ଉଦିତ ନାରାୟଣ ଗିରି, ଟୁକୁନା ଗିରିଙ୍କ ସହିତ ମାନବ ପ୍ରେମୀ ସେବା ଟ୍ରଷ୍ଟ ର ସଭାପତି ବିଚିତ୍ରାନନ୍ଦ ଦାସ ଓ ଉପ ସଭାପତି ରାଜକୁମାର ପାତ୍ର ପ୍ରମୁଖ କୃଷ୍ଣପୁର ଗ୍ରାମରେ ପହଞ୍ଚି ଭାଇ ଭଉଣୀଙ୍କୁ ନୂତନ ବସ୍ତ୍ର ତଥା ଖାଦ୍ୟ ସାମଗ୍ରୀ ମାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଠପଢା ସହିତ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକର ଯଥାସମ୍ଭବ ସମାଧାନ ସକାଶେ ପ୍ରତିଶ୍ରୁତି ଦେବା ସହ ପରବର୍ତ୍ତୀ ସମୟରେ ଏହି ଘଟଣାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।