କେନ୍ଦୁଝର , କେନ୍ଦୁଝର ଜିଲ୍ଲା ରଘୁନାଥପୁର ପଂଚାୟତର ପାହାଡ଼ ଜଙ୍ଗଲ ଘେରା ଏକ ଅଖ୍ୟାତ ପଲ୍ଲୀ ଖମଣଗୋଡାସାହିର ପ୍ରୟାସ ସେବା ଗ୍ରାମରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଲୋକାର୍ପିତ ହୋଇଛି ରେଡିଓ ଜୁହାର । ଏହି ରେଡିଓ ଜୁହାର ହେଉଛି ୯୦.୦ ଏଫ.ଏମ୍. ଗୋଷ୍ଠୀ ବେତାର କେନ୍ଦ୍ର ଏବଂ ଜିଲ୍ଲାର ତୃତୀୟ ବେତାର କେନ୍ଦ୍ର । ଏହି ବେତାର କେନ୍ଦ୍ର ସହ ଗ୍ରାମାଚଂଳ ଲୋକମାନଙ୍କୁ ଜଡ଼ିତ କରାଇବା ସହ ଏହା ମାଧ୍ୟମରେ ଗ୍ରାମାଚଂଳର ଲୁକାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏବଂ ଗ୍ରାମାଚଂଳର ବିଭିନ୍ନ ବର୍ଗର ଲୋକଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ସହ ଯୋଡିବା ସହ ସହାୟତା ତଥା ଫାଇଦା ପହଂଚାଇବା ଦିଗରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ସଦ୍ଭାବନାର ଏହା ଏକ ଅଭିନବ ପ୍ରୟାସ । ସରକାର ଓ ବିଶେଷ କରି ଅନଗ୍ରସର ଲୋକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ରେଡିଓ ଜୁହାର ବେଶ ସହାୟକ ହେବ ବୋଲି ବିଶ୍ୱାସ ରଖିଛନ୍ତି ଅନୁଷ୍ଠାନର ଚଣ୍ଡି ପ୍ରସାଦ ପଟ୍ଟନାୟକ । ରେଡିଓ ଜୁହାରର ଲୋକାର୍ପଣ ଉତ୍ସବରେ ଜିଲ୍ଲା ପରିଷଦର ସଭାପତି ସାଗରିକା ସାହୁ, ସଦର ବିଧାୟକ ମୋହନ ଚରଣ ମାଝୀ, କେନ୍ଦୁଝର ବାର ଆସୋସିଏସନ ସଭାପତି ଆଶିଷ ଚକ୍ରବର୍ତୀ, କେନ୍ଦୁଝରଗଡ ପୈାରପାଳିକାର ଅଧ୍ୟକ୍ଷ ନିକୁ ସାହୁ, ଅଲ ଇଣ୍ଡିଆ ରେଡିଓ ସମ୍ବଲପୁର ଓ କଟକ ଜୋନ ର ଉପ ନିର୍ଦ୍ଦେଶକ ଡ. ଏସ. ଏନ. ପଟ୍ଟନାୟକ, ଓଡିଶା ରାଜ୍ୟ ଗୋଷ୍ଠୀ ଭିତିକ ବେତାର କେନ୍ଦ୍ରର ସଭାପତି ଅବଦୁଲ ସଫିକ, ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ. ଏ. ଶାହ ଆନସାରୀ, ରେଡ଼ିଓ ଗୁଞ୍ଜନ ବରଗଡ଼ର ନିର୍ଦ୍ଦେଶକ ନିହାର ରଞ୍ଜନ ପଣ୍ଡା, ବରିଷ୍ଠ ଷ୍ଟୁଡିଓ ଓ ସାଉଣ୍ଡ ଡିଜାଇନର ପିଟୁଂ ମିଶ୍ର, ବିଶିଷ୍ଟ ସିନେମା ଓ ଟି.ଭି. କଳାକାର ବୀରେନ ମିଶ୍ର ଓ ଶକ୍ତି ବରାଳ, ସୁରେଶ କୁମାର, ଗୁଞ୍ଜ, ନୁଆଦିଲ୍ଲୀ, ବିଶିଷ୍ଟ ସାମ୍ବାଦିକ, ସମାଜସେବୀ, ପୁରୀ , ବିଜୟ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଭୁତି ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିନୟ ଭୁଷଣ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ରେଡିଓ ଜୁହାରର ଏହି ଲୋକାର୍ପଣ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୩୦ଜଣ ଯୁବ ପ୍ରତିଭାଙ୍କୁୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶେଷ ଭାବେ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥିଙ୍କୁ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା । ଏବଂ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ଦେବତାଙ୍କୁ ଜଳ ଅର୍ପଣ କରାଯାଇ ରେଡିଓ ଜୁହାରର ଲୋକାର୍ପଣ ଉତ୍ସବ ଆରମ୍ଭ ହୋଇଥିଲା । ଯାହା ଅତିଥି ମାନଙ୍କ ସହ ଉପସ୍ଥିତ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଥିଲା ।