ଭୁବନେଶ୍ୱର, ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା । ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ । ତେବେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ସାମୟିକ ଆଶ୍ୱସ୍ତି ଦେଇପାରେ । ସୋମବାର ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁର ସହରରେ ସର୍ବାଧିକ ୪୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୨.୪ ଡ଼ିଗ୍ରୀ , ହୀରାକୁଦରେ ୪୧.୬ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୯.୨ ଡ଼ିଗ୍ରୀ ,ଚାନ୍ଦବାଲିରେ ୩୮ ଡ଼ିଗ୍ରୀ ,ବାଲେଶ୍ୱରରେ ୩୭.୮ ଡ଼ିଗ୍ରୀ ,କେନ୍ଦୁଝର ରେ ୩୭ ଡ଼ିଗ୍ରୀ ,ପୁରୀରେ ୩୪.୬ ଡ଼ିଗ୍ରୀ ,ଗୋପାଳପୁରରେ ୩୩.୪ ଡ଼ିଗ୍ରୀ ଓ ପାରାଦୀପରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।