-
ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି – ଧର୍ମେନ୍ଦ୍ର ପ୍ରଧାନ
-
ଯୁବା ସଂଗମକୁ ସମାଜର ସମ୍ପାଦକ ନିରଞ୍ଜନ ରଥ ଓ ବିଶିଷ୍ଟ ସ୍ତମ୍ଭକାର ହରପ୍ରସାଦ ଦାସଙ୍କ ଭୂୟସୀ ପ୍ରଶଂସା
-
ଯୁବା ସଂଗମ ଅଧୀନରେ ଓଡିଶା ଓ ରାଜସ୍ଥାନ ବୁଲିଥିବା ଦୁଇ ରାଜ୍ୟର ଯୁବବର୍ଗଙ୍କ ଅନୁଭୂତିର ବର୍ଣ୍ଣନା ଅବିଶ୍ୱନୀୟ
-
ଯୁବବର୍ଗଙ୍କୁ ବିଭିନ୍ନ ଅଞ୍ଚଳର ସାମାଜିକ ସମ୍ପର୍କ ସହ ସଂସ୍କୃତି ଓ ପରମ୍ପରାକୁ ଅନୁଭବ କରାଇବା ଯୁବା ସଂଗମର ଉଦ୍ଦେଶ୍ୟ
-
ଯୁବା ସଂଗମକୁ ଆଗକୁ ଜାରୀ ରଖିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ
-
ପାଖାପାଖି ୨୫୦୦ରୁ ଉର୍ଦ୍ଧ୍ୱ ଯୁବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି
-
ପାରାଦୀପ ରିଫାଇନାରୀର ଢାଞ୍ଚା ହିଁ ଭାରତର ପରିବର୍ତ୍ତନକୁ ସୂଚିତ କରୁଛି
-
ରଘୁରାଜପୁରର କଳା କାରିଗରୀ ଦୁନିଆରୁ ସବୁ କଳାକୃତିଠୁ ଉର୍ଦ୍ଧ୍ୱରେ
-
ଆମର ସମସ୍ତ ଭାରତୀୟ ଭାଷା ଏକତ୍ୱ ଏବଂ ଆମର ଏକତ୍ୱ ହିଁ ଦେଶର ଶକ୍ତି
ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଯୁବା ସଂଗମ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ । ଶିକ୍ଷାନୁଷ୍ଠାନ ଗୁଡିକରେ ଏହାକୁ କ୍ରିୟାନ୍ୱୟନ କରି ଆଜିର ଯୁବପିଢିଙ୍କୁ ଭାରତର ବିଭିନ୍ନ ରାଜ୍ୟକୁ ପର୍ଯ୍ୟଟକ ଭାବରେ ନେଇ ବୁଲାଇବା ଓ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି ଓ ପରମ୍ପରାକୁ ଅନୁଭବ କରାଇବା ପାଇଁ ନେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଯୁବା ସଂଗମ ୨.୦ରେ ରାଜସ୍ଥାନ ଏନଆଇଟି ନେତୃତ୍ୱରେ ରାଜସ୍ଥାନ ଛାତ୍ରଛାତ୍ରୀମାନେ ନେତୃତ୍ୱରେ ଓଡ଼ିଶାକୁ ଆସିଛନ୍ତି । ଆଇଆଇଟି ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଆ ଛାତ୍ରଛାତ୍ରୀମାନେ ରାଜସ୍ଥାନ ଯାଇଥିଲେ । ଏହା ପୂର୍ବରୁ ଯୁବା ସଂଗମ ୧ରେ ସିକିମ ଛାତ୍ରୀଛାତ୍ରୀମାନେ ଏନଆଇଟି ରାଉରକେଲା ଆସିଥିଲେ ଏବଂ ଏନଆଇଟି ରାଉରକେଲା ନେତୃତ୍ୱରେ ଓଡ଼ିଆ ଛାତ୍ରଛାତ୍ରୀମାନେ ସିକିମ ଯାଇଥିଲେ । ଏବେ ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ଅଧୀନରେ ୪ ମାସ ମଧ୍ୟରେ ଯୋଡାଯାଇ ସାରିଲାଣି । ପାଖାପାଖି ଅଢେଇ ହଜାର ଯୁବ ଛାତ୍ରଛାତ୍ରୀ ଭାରତବର୍ଷର ସବୁ ରାଜ୍ୟକୁ ବୁଲିବା ପାଇଁ ଯାଉଛନ୍ତି । ଏହା ଦ୍ୱାରା ସମାଜରେ ଏକତାର ଭାବ, ସ୍ନେହ ଓ ଶ୍ରଦ୍ଧା ବଢୁଛି । ଏହା ହିଁ ଏକ ଭାରତର ମୂଳ ମନ୍ତ୍ର । ଯୁବା ସଂଗମକୁ ଆଗକୁ ଜାରୀ ରଖିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ । ପ୍ରତି ଦୁଇ ମାସକୁ ଥରେ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରତିଯୋଗିତା ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ବାହାରକୁ ନିଆଯିବ ଏବଂ ତାହାର ସବୁ ବ୍ୟବସ୍ଥା ଭାରତ ସରକାର ବହନ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଜସ୍ଥାନରୁ ଆସିଥିବା ଯୁବବନ୍ଧୁମାନେ ପାରାଦୀପ ରିଫାଇନାରୀ ପରଦର୍ଶନ କରିଛନ୍ତି । ଏହି ପାରାଦୀପ ରିଫାଇନାରୀର ଢାଞ୍ଚା ହିଁ ଭାରତର ପରିବର୍ତ୍ତନକୁ ସୂଚିତ କରୁଛି । ସେହିପରି ରଘୁରାଜପୁରର କଳା କାରିଗରୀ ଦୁନିଆରୁ ସବୁ କଳାକୃତିଠୁ ଉର୍ଦ୍ଧ୍ୱରେ ବୋଲି ଅନୁଭବ ହୁଏ । ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିଜ ସନ୍ତାନ ଶରୀର ଅସୁସ୍ଥତା ଥିବା ସତ୍ତ୍ୱେ ସମାଜସେବା ପାଇଁ ଆଗେଇ ଆସିଥିଲେ । ସେହିଭଳି ଭାବରେ ଯୁବା ସଂଗମ ଅଧୀନରେ ରାଜସ୍ଥାନ ବୁଲିଥିବା ଓଡ଼ିଶାର ପିଲାମାନେ ଏବଂ ଓଡ଼ିଶା ବୁଲିଥିବା ରାଜସ୍ଥାନର ପିଲା ମାନଙ୍କର ଅନୁଭୂତିର ଏବଂ ସମର୍ପଣ ଭାବନା ଅବିଶ୍ୱାନୀୟ ଥିଲା । ଭାରତକୁ ଶ୍ରେଷ୍ଠ ଭାରତରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ସମସ୍ତ ଭାରତୀୟ ଭାଷା ଏକତ୍ୱ ଏବଂ ଆମର ଏକତ୍ୱ ହିଁ ଦେଶର ଶକ୍ତି । ପ୍ରଧାନମନ୍ତ୍ରୀ ସ୍ୱୟଂ ଏକ ଭାରତ –ଶ୍ରେଷ୍ଠ ଭାରତ ସହ ଯୋଡି ହୋଇ ଦେଶର ସାମୂହିକ ଇଚ୍ଛା, ଏକତ୍ୱ ଏବଂ ଚ୍ୟାଲେଞ୍ଚକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ କେବଳ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ କରିନାହିଁ ବରଂ ଅନେକ ବିକଶିତ ରାଷ୍ଟ୍ରକୁ ପଛରେ ପକାଇଛି । ଆଜି ବିଦେଶରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରୁଛି । ଆଗାମୀ ୨୫ ବର୍ଷର ଅମୃତ କାଳରେ ଆମେ ସମଗ୍ର ବିଶ୍ୱର ଦାୟିତ୍ୱବାନ ନାଗରିକ ଭାବରେ ଅବତୀର୍ଣ୍ଣ ହେବା । ଭାରତକୁ ଅନେକ ସମୟ ପରାଧୀନତା ରଖିବା ପାଇଁ ଏଠାରେ ଟି.ବି.ମାକାଉଲେ ପଦ୍ଧତିର ଉପଯୋଗ କରାଯାଇଥିଲା । ଏବେ ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ପୂର୍ତ୍ତି ସମୟରେ ଆମକୁ ଏସବୁ କଥାକୁ ହଟାଇବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏଥିରେ ଦୈନିକ ସମ୍ବାଦପତ୍ର ସମାଜର ସମ୍ପାଦକ ଶ୍ରୀ ନିରଞ୍ଜନ ରଥ ଯୋଗଦେଇ ଯୁବା ସଂଗମକୁ ପ୍ରଶଂସା କରିବା ସହ ଯୁବପିଢିମାନେ ଲକ୍ଷ୍ୟ ପଥରେ ଯାଆନ୍ତୁ ଏବଂ ସଫଳ ହୁଅନ୍ତୁ ବୋଲି କହିଥିଲେ । ସେହିପରି ଲେଖକ ଶ୍ରୀ ହରପ୍ରସାଦ ଦାସ ଯୋଗଦେଇ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଆମ ସମୟରେ ନଥିଲା । ଏଭଳି କାର୍ଯ୍ୟକ୍ରମ ବର୍ତ୍ତମାନ ସମୟରେ ଏକ ବଡ ଉପଲବ୍ଧି । ଯୁବା ସଂଗମ ନୂଆ ଭାରତର ପ୍ରତକ ବୋଲି କହିଥିଲେ ।
ସେହିପରି ରାଜସ୍ଥାନ ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ନିଜ ଅନୁଭୂତି ବର୍ଣ୍ଣନା କରିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଭଭିଷ୍ୟତରେ ବହୁତ କାମରେ ଆସିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।