ଧର୍ମଶାଳା, ଯାଜପୁର ଜିଲା ଧର୍ମଶାଳା ବ୍ଲକ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଛି । ଗତକାଲି ବିଳମ୍ବିତ ରାତିରେ ଏକ ଅଭବାନୀୟ ଘଟଣାକୁ ନେଇ ଏବେ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଥିଲା । ତାକୁ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ରୂପରେଖ ଦିଆଯାଉଛି । ତେବେ ଏଭଳି ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । କ୍ରସର କ୍ରର୍ମଚାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ବିଭିନ୍ନ ମହଲରୁ ଉଦ୍ୟମ ଚାଲିଛି । ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ମହିଶରା ପଂଚାୟତ ଡଙ୍କାରୀ ପାହାଡ ନିକଟରେ ଥିବା ବୈଦ୍ୟନାଥ ଷ୍ଟୋନ କ୍ରସରେ ଏଭଳି ଘଟଣା ଘଟିଛି।
କ୍ରସରରେ କାର୍ଯ୍ୟ କରୁଥିବା କମାଗଡ ପଂଚାୟତ ଗେଙ୍ଗୁଟିଆ ଗ୍ରାମର ସ୍ଵର୍ଗତ କନ୍ଦ ବଳଙ୍କ ପୁଅ ଧରୁଆ (୨୪)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା । କ୍ରସରରେ ଅନ୍ୟ କର୍ମଚାରୀ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଘଡଘଡିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା କହି ମୃତଦେହକୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ କ୍ରସର ମାଲିକ ଏହି ଘଟଣାକୁ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ରୂପରେଖ ଦେବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହୋଇଛି । ମୃତ୍ୟୁ ପରେ ପରିବାର ଲୋକଙ୍କୁ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ନେଇ ସୂଚନା ଦିଆଯାଇଥିଲା । ପରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ରୂପ ଦେବାକୁ ଉଦ୍ୟମ କାହିଁକି କରାଗଲା ସେନେଇ ପରିବାର ଲୋକେ ଓ ପଡୋଶୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଥାଉକି, ପୂର୍ବରୁ କନ୍ଦଙ୍କର ମୃତ୍ୟୁ ଘଟିଥିଲା । ୨ ବର୍ଷ ପରେ ତାଙ୍କ ବଡଭାଇଙ୍କର ମୃତ୍ୟୁ ଘଟିଥିଲା । ଧରୁଆ ଉପରେ ପରିବାର ବୋଝ ପଡିଥିଲା । ଧରୁଆ ପରିବାରର ଏକମାତ୍ର ରୋଜଗାରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲା । ତାଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଏଭଳି ପରିସ୍ଥିତିରେ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ଘଟଣାକୁ ଚପାଇ ଦେବାକୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । କ୍ରସର ମାଲିକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ବିଭିନ୍ନ ମହଲରୁ ଚାପ ପ୍ରୟୋଗ କରି ଏହି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏଭଳି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପରିବାର ଲୋକେ ଦାବି କରିଛନ୍ତି ।