
-
ପୀଡ଼ିତଙ୍କ ପରିବାରକୁ ୬ ସପ୍ତାହ ମଧ୍ୟରେ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଏନଏଚଆରସିଙ୍କ ନିର୍ଦ୍ଦେଶ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନାରେ ରାଇକିଆର ବ୍ୟବସାୟୀଙ୍କୁ ଥାର୍ଡ଼ ଡ଼ିଗ୍ରୀ ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ପୀଡ଼ିତଙ୍କ ପରିବାରକୁ ୬ ସପ୍ତାହ ମଧ୍ୟରେ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ୮ ସପ୍ତାହ ମଧ୍ୟରେ ଦେୟର ପ୍ରମାଣ ସହିତ ଅନୁପାଳନ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ମାନବାଧିକାର କର୍ମୀ ରବିନ୍ଦ୍ର କୁମାର ମିଶ୍ର ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କମିଶନ ଆବେଦନକୁ ଗ୍ରହଣ କରି ଏହି ରାୟ ଶୁଣାଇଛନ୍ତି ।
ବ୍ରହ୍ମପୁର ପୋଲିସ ଜିଲ୍ଲାର ତତ୍କାଳୀନ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କର୍ମଚାରୀ ଗତ ୨୦୨୨ ନଭେମ୍ବର ୨୮ ତାରିଖରେ କନ୍ଧମାଳ ଜିଲ୍ଲାର ରାଇକିଆ ଯାଇ ବ୍ୟବସାୟୀ ସୁମନ ସାହୁଙ୍କୁ ଏକ ମିଥ୍ୟା ମାମଲାରେ ରାତାରାତି ଉଠାଇ ଆଣିଥିଲେ । ଥାନାରେ ବ୍ୟବସାୟୀଙ୍କୁ ଥାର୍ଡ଼ ଡ଼ିଗ୍ରୀ ପରେ ସିଆରପିସି ଧାରା ୪୧ ରେ ନୋଟିସ୍ ଜାରୀ କରି ତାଙ୍କୁ ମୁକ୍ତ କରାଯାଇଥିଲା । ପୋଲିସ ମାଡ଼ରେ ଗୁରୁତର ହୋଇଥିବା ସୁମନ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ପରଦିନ କନ୍ଧମାଳ ଏସପିଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଏସପି ମାମଲାକୁ ଗୁରୁତ୍ଵର ସହ ନେଇ ଏ ବାବଦରେ ରାଇକିଆ ଥାନାରେ ଏତଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ରହ୍ମପୁର ପୋଲିସ ମଧ୍ୟ ନିଜ ଆଡୁ ପଦକ୍ଷେପ ଗ୍ରହଣ କରିବା ସହ ମାମଲାର ତଦନ୍ତ କରି ଆଇଆଇସି ଦାୟିତ୍ଵରୁ ଶ୍ରୀକାନ୍ତ ଖମାରୀଙ୍କୁ ହଟାଇ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିଥିଲେ ।