ବଲାଙ୍ଗିର, ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ବଲାଙ୍ଗିରର ଛାତ୍ରଛାତ୍ରୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ବଲାଙ୍ଗିରରେ ରେଗୁଲାର୍ ପରୀକ୍ଷାର୍ଥୀ ମୋଟ୍ ୬୫ ଜଣ ଏ୧ ଗ୍ରେଡରେ ରହିଛନ୍ତି । ମୋଟ୍ ପାସ୍ ହାର ଏଥର ୯୬.୩୭ ପ୍ରତିଶତ ରହିଥିବା ନେଇ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାରେ ଏ ୧ ଗ୍ରେଡରେ ୬୫ ଜଣ, ଏ ୨ ଗ୍ରେଡରେ ୧୩୨୮ ଜଣ, ବି ୧ ଗ୍ରେଡରେ ୪୭୭୦ ଜଣ, ବି ୨ ଗ୍ରେଡରେ ୬୪୪୦ ଜଣ, ସି ଗ୍ରେଡରେ ୫୪୨୦ ଜଣ, ଡି ଗ୍ରେଡରେ ୩୨୯୭ ଜଣ, ଇ ଗ୍ରେଡରେ ୧୮୩୬ ଜଣ ରହିଛନ୍ତି । ୩୭୩ ଜଣ ଫେଲ୍ ହୋଇଛନ୍ତି । ସେହିପରି ଏକ୍ସ ରେଗୁଲାରରେ ଏ ୨ ଗ୍ରେଡରେ ୩ ଜଣ, ବି ୧ ଗ୍ରେଡରେ ୩୯ ଜଣ, ବି ୨ ଗ୍ରେଡରେ ୭୮ ଜଣ, ସି ଗ୍ରେଡରେ ୧୨୨ ଜଣ, ଡି ଗ୍ରେଡରେ୧୧୬ ଜଣ ଓ ଇ ଗ୍ରେଡରେ ୧୦୦ ଜଣ ରହିଛନ୍ତି । ୬୫ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି । ଏଥର ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ମୋଟାମୋଟି ପିଲାମାନେ ଭଲ ପ୍ରଦର୍ଶନ କରିଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ସଫଳ ହୋଇଥିବା ଯଶ ବର୍ଦ୍ଧନ ସର୍ବମୋଟ ୬୦୦ ମାର୍କରୁ ୫୭୯ ରଖି ୯୬.୫ ପ୍ରତିଶତରେ ଜିଲ୍ଲା ଟପ୍ପର ହୋଇଛନ୍ତି। ସେ ଟିଟିଲାଗଡ଼ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ହୋଇଥିବା ବେଳେ ସ୍ଵପ୍ନେଶ୍ଵର ମହାକୁରଙ୍କ ସୁପୁତ୍ର। ଜିଲ୍ଲାରେ ଦ୍ବିତୀୟ ସ୍ଥାନରେ ସରସ୍ଵତୀ ବିଦ୍ୟାମନ୍ଦିର ଟିଟଲାଗଡର ଶୁଭଶ୍ରୀ ବୁଡେକ୍(୫୭୨) ନମ୍ବର ରଖି୯୫.୩୩ ପ୍ରତିଶତ, ତୃତୀୟ ସ୍ଥାନରେ ଗୁଡଭେଲା ଦେମୁହଁଆ ସରସ୍ଵତୀ ବିଦ୍ୟାମନ୍ଦିରର ଦେବେଶ ସାହୁ (୫୬୯) ୯୪.୮୩ ପ୍ରତିଶତ, ଚତୁର୍ଥ ସ୍ଥାନରେ କଲେଜ ଛକ ସରସ୍ଵତୀ ବିଦ୍ୟାମନ୍ଦିର ବଲାଙ୍ଗିରର ସ୍ଵୟଂ ସୁନ୍ଦର ମେହେର (୫୬୫) ୯୪.୧୬ ପ୍ରତିଶତ, ପଞ୍ଚମରେ ଲୋଇସିଂହା ସରସ୍ଵତୀ ବିଦ୍ୟାମନ୍ଦିରର ଓମ୍ ପ୍ରକାଶ ପଧାନ(୫୬୦)୯୩.୩୩ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲ୍ଲାରେ ଏ ୧ ଗ୍ରେଡ ରେ ସଫଳ ହୋଇଥିବା ୬୫ ଜଣଙ୍କ ମଧ୍ୟରେ ସରସ୍ଵତୀ ବିଦ୍ୟାମନ୍ଦିରର ୨୯ ଜଣ ସୂଚୀର ଉପରେ ଥିଲାବେଳେ ୭ ଜଣ ଛାତ୍ରଛାତ୍ରୀ କ୍ରମିକ ୩୬ ଭିତରେ ଅନ୍ୟ ସ୍କୁଲର ରହିଛନ୍ତି ଯେଉଁମାନେ ଗ୍ରାମାଞ୍ଚଳ ସ୍କୁଲ ଗୁଡ଼ିକର ଅନ୍ତର୍ଭୁକ୍ତ।