
ଭୁବନେଶ୍ୱର – ନାଗରିକ ସଂଶୋଧନ ବିଲ ଉଭୟ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇ ସାରିଛି । ଓଡିଶାର ଶାସକ ଦଳ ବିଜୁ ଜନତା ଦଳ ଏହି ବିଲକୁ ମଧ୍ୟ ସମର୍ଥନ କରିଥିଲା, କିନ୍ତୁ ଏକ ମୁସଲିମ ସଂଗଠନର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ସିଏବି ଦ୍ୱାରା ଭୟଭୀତ ଅଛନ୍ତି ବୋଲି ଜଣାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଓଡିଶାରେ ଏନଆରସି ଲାଗୁ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଥିବାର ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଭଳି ବୟାନ ଦେଇଥିବା ୧୪ ମହଲା ମୁସଲିମ ଜମାଦ, ଭଦ୍ରକର ସଭାପତି ମହମ୍ମଦ ଅବଦୁଲ ବାରୀ ଗଣମାଧ୍ୟମ ଆଗରେ ଦାବୀ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ସ୍ପଷ୍ଟିକରଣ ରଖିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦାବି କରିଛନ୍ତି ।
ପରିଷଦ ପକ୍ଷରୁ କୁହାଯାଇଛି ଯେ ଏହି ବିଲର ବର୍ତମାନର ଭାରତୀୟ ନାଗରିକଙ୍କ ସହ କୈାଣସି ସମ୍ପର୍କ ନଥିଲା ବେଳେ ଏହି ମୁସଲମାନ ସଂଗଠନ ଭୂଲ ତଥ୍ୟ ଆଧାରରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି । ଓଡିଶାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ଏବଂ ବିଭିନ୍ନ ଅପରାଧିକ ମାମଲାରେ ସେମାନଙ୍କର ସଂପୃକ୍ତି ବାବଦରେ ନିଜେ ରାଜ୍ୟ ସରକାର ବିବୃତି ପ୍ରକାଶ କରିସାରିଛନ୍ତି । କିଛି ଦିନ ପୂର୍ବରୁ କେନ୍ଦ୍ରାପଡାରେ ଏନଆରସି ଲାଗୁ କରିବା ପାଇଁ କେନ୍ଦ୍ରୀୟ ଗୃହ ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ଦେଇଥିଲା । ଏହି ପରିପେକ୍ଷୀରେ ରାଜ୍ୟରେ ଏନଆରସି ଲାଗୁ ନକରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ରାଜ୍ୟ ତଥା ଦେଶର ସୁରକ୍ଷା ପ୍ରତି ମୁଖ୍ୟମନ୍ତ୍ରୀ ନଜରଅନ୍ଦାଜ କରୁଛନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବିଷୟରେ ନିଜର ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ବିଦ୍ୟାର୍ଥୀ ପରିଷଦ ଦାବୀ କରୁଛି । ନଚେତ ଏହା ବିରୁଦ୍ଧରେ ଏବିଭିପି ରାଜ୍ୟ ବ୍ୟାପୀ ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି