
ସାଲେପୁର, ଗ୍ରାମାଞ୍ଚଳର ଗରୀବ ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାରେ ୨୦୧୬ ମସିହାରେ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା କରାଗଲା । ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଗୃହ ଓ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ସହିତ ନୂତନ ଭାବେ ନାମ ଲେଖା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକରେ ୨୦୨୦ ମସିହାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ଵାରା ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ କରାଯିବା ପାଇଁ ଶୁଭ ଶିଳାନ୍ୟାସ କରାଯାଇଥିଲା । ଏହି ବିଦ୍ୟାଳୟକୁ ଦୁଇ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ନିର୍ମାଣ କାର୍ଯ୍ୟ କରାଯିବା ପରେ ବିଦ୍ୟାଳୟ ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ନିର୍ମାଣ କାର୍ଯ୍ୟର ଏକ ବର୍ଷ ପରେ ଠିକାଦାର ଜଣକ ଅତ୍ୟନ୍ତ ମନ୍ଥର ଗତିରେ କାର୍ଯ୍ୟ କରୁଥିବାରୁ ଏହାର ପିଲର କାର୍ଯ୍ୟ ମଧ୍ୟ ଶେଷ ହୋଇନଥିଲା । ଯାହାଦ୍ଵାରା ବାଧ୍ୟ ହୋଇ ଏହି ବିଦ୍ୟାଳୟକୁ ଅସୁରେଶ୍ଵର ହାଇସ୍କୁଲ ପରିସରରେ ଖୋଲାଯିବା ପାଇଁ ସ୍ଥିର କରାଗଲା । ବିଗତ ଦୁଇ ବର୍ଷ ହେବ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନେ ନାମ ଲେଖାଇ ସେଠାରେ ଅତ୍ୟନ୍ତ ଦୟନୀୟ ଭାବେ ଶିକ୍ଷାଗ୍ରହଣ କରୁଛନ୍ତି । ଛାତ୍ରାବାସ ନଥିବାରୁ ମାସିକ ହଜାର ହଜାର ଟଙ୍କା ଗାଡି ଭଡା ବାବଦକୁ ଖର୍ଚ୍ଚ କରି ବିଦ୍ୟାଳୟକୁ ଯାଉଥିଲା ବେଳେ ସେଠାରେ ଉପଯୁକ୍ତ ଶ୍ରେଣୀଗୃହ, ପାଠ୍ୟ ଉପକରଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ନଥିବାରୁ ଛାତ୍ର ଛାତ୍ରୀମାନେ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି ।
ଅପରପକ୍ଷରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଦିନକୁ ଦିନ ଅଧିକ ମନ୍ଥର ହେବାରେ ଲାଗିଛି । ଦୁଇ ବର୍ଷ ମଧ୍ୟରେ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ସମୟଧାର୍ଯ୍ୟ ହୋଇଥିଲା ବେଳେ ତିନିବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଏହାର ପ୍ରଥମ ମହଲା ଛାତ କାର୍ଯ୍ୟ ଶେଷ ହୋଇ ପାରିନାହିଁ । କ’ଣ ପାଇଁ କାର୍ଯ୍ୟ ଅଗ୍ରଗତି କରୁନାହିଁ ସେ ନେଇ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିଲା ବେଳେ ନିର୍ମାଣ ଦାୟିତ୍ଵରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ପୂର୍ତ୍ତ ବିଭାଗ ଏଥିପ୍ରତି ମଧ୍ୟ ଗୁରୁତ୍ଵ ଦେଉନାହାଁନ୍ତି । ଏହାଛଡା ଏହି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀମାନେ ସଠିକ୍ ଭାବେ ତଦାରଖ କରୁନଥିବାରୁ ଏହା ମଧ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଅଭିଯୋଗ ହେଉଛି । ସାଲେପୁର ବ୍ଲକରେ ଗତ ୬ ମାସ ହେବ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବେଳେ ବର୍ତ୍ତମାନ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିିଛି । ଏହାଛଡା ଚଳିତ ଜାନୁଆରୀ ମାସରେ ଉକ୍ତ ବିଦ୍ୟାଳୟ ପାର୍ଶ୍ଵରେ ବାଳିକା ଛାତ୍ରାବାସ ଗୃହ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବେଳେ ଏହା ମଧ୍ୟ ଦ୍ରୁତ ଗତିରେ କରାଯାଉଛି । କ’ଣ ପାଇଁ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରୁଥିବା ଠିକାଦାର ଜଣକ କାର୍ଯ୍ୟ କରିବାରେ ବିଳମ୍ବ କରୁଛନ୍ତି କିମ୍ବା ଏହା ଭିତରେ କିଛି ରହସ୍ୟ ରହିଛି ସେ ନେଇ ଅଭିଭାବକ ମହଲରେ ପ୍ରଶ୍ନ ଉଠିଛି । ତୁରନ୍ତ ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଶେଷ କରି ଏଠାରେ ଛାତ୍ର ଛାତ୍ରୀମାନଙ୍କୁ ପଢାଇବାର ବନ୍ଦୋବସ୍ତ କରିବା ନିମନ୍ତେ ଅଭିଭାବକ ମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।