ଗଞ୍ଜାମ, ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳି ହିଞ୍ଜିଳିକାଟୁ ଏବଂ ଶେରଗଡ଼ ବ୍ଲକର ସମସ୍ତ ହାଇସ୍କୁଲକୁ କୋଟି କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ହାଇସ୍କୁଲ କରାଯାଇଛି । ସେହିପରି ଜଲେଜ ଗୁଡିକୁ ମଧ୍ୟ ସ୍ମାର୍ଟ କଲେଜ କରାଯାଇଛି । ବର୍ତମାନ ପୁଣି ଏହି ଦୁଇଟି ନିର୍ବାଚନ ମଣ୍ଡଳିରେ କୋଟି କୋଟି ଟଙ୍କା ବ୍ୟୟ କରି ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ଗତ ୭ ତାରିଖରେ ଉପରୋକ୍ତ ଦୁଇଟି ବ୍ଲକର ମନ୍ଦିର ଗୁଡିକ ପରିଦର୍ଶନ କରିବାର ମାତ୍ର ୮ ଦିନ ପରେ ୧୩ଟି ମନ୍ଦିରର ପୁନରୁଦ୍ଧାର ପାଇଁ ୫ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମଞ୍ଜୁର କରାଯାଇଛି । ସେହି ମନ୍ଦିର ଗୁଡିକ ହେଲା ପିତଳ ଶ୍ରୀ ଜଗନ୍ନାଥ ମନ୍ଦିର ନିମନ୍ତେ ୪୫ ଲକ୍ଷ, ଶ୍ରୀ ଉତରେଶ୍ଵର ମନ୍ଦିର ପାଇଁ ୪୫ ଲକ୍ଷ, କରଞ୍ଜେଇ ପୀଠର ବିକାଶ ପାଇଁ ୬୫ ଲକ୍ଷ, ଶେରଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରର ପୁନଃଉଦ୍ଧାର ପାଇଁ ୨୫ ଲକ୍ଷ, ଶୋଭାଚନ୍ଦ୍ରପୁର ମା ତାରାତାରିଣୀ ମନ୍ଦିର ପାଇଁ ୪୫ ଲକ୍ଷ, ଧବଳପୁର ଗ୍ରାମସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ପାଇଁ ୪୫ ଲକ୍ଷ ଓ ବେଲେଶ୍ୱର ମନ୍ଦିରର ପୁନଃଉଦ୍ଧାର ପାଇଁ ୪୫ ଲକ୍ଷ, କରଡ଼ାକଣା ଉଦୟନାଥ ମନ୍ଦିରକୁ ୫୦ ଲକ୍ଷ, ଅଲାରିଗଡ଼ ସ୍ଵପ୍ନେଶ୍ଵର ମନ୍ଦିରକୁ ୪୫ ଲକ୍ଷ, ଶ୍ୟାମଳାଇ ମନ୍ଦିର ପାଇଁ ୭୫ ଲକ୍ଷ, କୋରେଇଶୁଣି ମନ୍ଦିରକୁ ୫୦ ଲକ୍ଷ, ଘୋଡ଼େଇଶୁଣି ମନ୍ଦିରକୁ ୩୦ ଲକ୍ଷ, ଗଣ୍ଡଳା ଗୋପୀନାଥ ମନ୍ଦିର ପାଇଁ ୩୦ ଲକ୍ଷ ଓ ଇଶାନେଶ୍ୱର ମନ୍ଦିରର ପୁନରୁଦ୍ଧାର ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇଛି ।
ଜନସାଧାରଣଙ୍କ ଦାନରେ ପ୍ରତ୍ୟେକ ପୁରପଲ୍ଲୀରେ ବର୍ତମାନ ନୂତନ ନୂତନ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଭୋଟ୍ ରାଜନୀତିକୁ କେନ୍ଦ୍ର କରି ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରେ ବର୍ତମାନ ମନ୍ଦିର ଉନ୍ନୟନ ପାଇଁ ଟଙ୍କା ମଞ୍ଜୁରକୁ କେନ୍ଦ୍ର କରି ଜନଅସନ୍ତୋଷ ପ୍ରକାଶ ପାଇଛି । ଏହି ଟଙ୍କାରେ କ୍ଷୁଦ୍ର କଳକାରଖାନା କରାଯାଇଥିଲେ ବହୁ ବେକାରୀ ବେରୋଜଗାରୀ ଯୁବକ ଯୁବତୀଙ୍କ କର୍ମସଂସ୍ଥାନ ହୋଇପାରନ୍ତା ବୋଲି ଜନମତ ପ୍ରକାଶ ପାଇଛି ।