ସୁବର୍ଣ୍ଣପୁର, ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣଭାରତୀୟ ଢାଞ୍ଚାରେ ନୂତନଭାବେ ନିର୍ମିତ ମା ବୁଢିମା ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୧ରୁ ୨୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ମହା ସମାରୋହରେ ପାଳନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଗତକାଲି ସନ୍ଧ୍ୟାରେ ଢେରାପଡା ସ୍ଥିତ ବୁଢିମା ଯୁବକ ସଂଘ ଠାରେ ଏକ ଖବରଦାତା ସମ୍ମିଳନୀରେ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମାଙ୍ଗଳିକ, ବାସୁଦେବ ପୂଜା ତଥା ଦେବନିମନ୍ତ୍ରଣ, ଭୂମିପୂଜା, ନୃସିଂହ ଯଜ୍ଞ, ବରାହ ଓ କୃମ ଅନନ୍ତ ପୂଜାନ୍ତେ ଯଜ୍ଞଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ ସରିଥିବା ବେଳେ ଅଙ୍କୁରାରୋପଣ, ଶୁକ୍ଲ ଦ୍ଵିତୀୟା ରବିବାର ୨୧ ତାରିଖରେ କଳସାଧିବାସ ଓ ମଣ୍ଡଳବିଧାନ ସହ କଳସାନୟନ, ମଣ୍ଡପ ପୂଜାବିଧାନ ଚତୁର୍ଥୀ ଲଗ୍ନେ ଶାଖାମୂର୍ତ୍ତୀ ମହାସ୍ନାନ, ଶୁକ୍ଲପଞ୍ଚମୀରେ ମନ୍ଦିର ଅଧ ଉର୍ଦ୍ଧ୍ବ ଶୋଧନ ସହିତ ଦେବ ଦେବ ମହାଦେବ ଲିଙ୍ଗ ଓ ପାର୍ଶ୍ଵଦେବତା ମନ୍ଦିରେ ସ୍ଥାପନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହେବ। ୨୫ ତାରିଖ ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଗୁରୁବାର ପୂର୍ଣ୍ଣ।ହୂତି ପୂର୍ବକ ମା ବୁଢିମା ଠାକୁରାଣୀଙ୍କ ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି।
ପ୍ରକାଶ ଯୋଗ୍ୟଯେ, ସଂପୂର୍ଣ୍ଣ ଦକ୍ଷୀଣ ଭାରତୀୟ ଢାଞ୍ଚାରେ ନିର୍ମିତ ଏହି ମନ୍ଦିର ନିର୍ମାଣରେ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇଥିବା ବେଳେ ଏହା ମନ୍ଦିର ମାଳିନୀ ସୁବର୍ଣ୍ଣପୁରକୁ ଆସୁଥିବା ପର୍ଯ୍ୟଟକଙ୍କୁ ବହୁମାତ୍ରାରେ ଆକୃଷ୍ଟ କରିବ ବୋଲି କମିଟି ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଏହି ଅବସରରେ ପ୍ରତି ସଂଧ୍ୟାରେ ସୁନ୍ଦରାକାଣ୍ଡ, ଭଜନ ସଂଧ୍ୟା ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏବଂ ଦୁଇ ଦିନ ଧରି ଶ୍ରଦ୍ଧାଳୁଙ୍କ ପାଇଁ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।
ଆଜିର ଏହି ଖବରଦାତା ସମ୍ମିଳନୀରେ ମନ୍ଦିର ନିର୍ମାଣ କମିଟିର ସଂପାଦକ ଜନ୍ମେଜୟ ପାତ୍ର, ଉପସଭାପତି ବି.ସତ୍ୟନାରାୟଣ ରାଓ, ବୁଢିମା ଯୁବକ ସଂଘ ସଭାପତି ଦିଲ୍ଲୀପ ପାତ୍ର, ବରିଷ୍ଠ ସଭ୍ୟ ଆନନ୍ଦ ପାତ୍ର, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଓ କାଉନସିଲର ରାଜକିଶୋର ରାଓ ତଥା ପଡାର ଅନେକ ସଦସ୍ୟ ଉପସ୍ଥିତ ଥିଲେ।