ବଲାଙ୍ଗିର, ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଚଳିତ ବର୍ଷ ବଲାଙ୍ଗିରରେ ରଥଯାତ୍ରା ଓ ବାହୁଡାଯାତ୍ରା ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗ, ବଲାଙ୍ଗିର ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା, ଡିଏସପି ଡିଆଇବି ତପନ କୁମାର ରଥ, ବଲାଙ୍ଗିର ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ, ଶ୍ରୀ ଗୋପାଳଜୀ ମନ୍ଦିର ରଥ, ରାଜବାଟୀ ମନ୍ଦିର ରଥ, ଜଗନ୍ନାଥ ପଡା ମନ୍ଦିର ରଥ, ସାହାଣୀ ମନ୍ଦିର ରଥ, ଚାନ୍ଦ ମନ୍ଦିର ରଥ କମିଟି, ମାଉସୀ ମା ମନ୍ଦିର କମିଟିର ସଦସ୍ୟ ମାନଙ୍କ ସମେତ ଜଙ୍ଗଲ, ଓଡିଶା ଜଙ୍ଗଲ ଉନ୍ନୟନ ନିଗମ, ପୂର୍ତ୍ତ, ଜନସ୍ଵାସ୍ଥ୍ୟ, ପୌର ନିର୍ବାହୀ ଅଧିକାରୀ, ସ୍ଵାସ୍ଥ୍ୟ, ସୂଚନା ଓ ଲୋକ ସମ୍ପର୍କ ଆଦି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ସମସ୍ତଙ୍କୁ ସ୍ଵାଗତ କରିବା ସହ ଚଳିତ ବର୍ଷର ରଥଯାତ୍ରା ଓ ବାହୁଡା ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ଓ ସୁଚାରୁରୂପେ ସମାପନ ହେବ ସେଥିନିମନ୍ତେ ମନ୍ଦିର କମିଟି ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ । ବଲାଙ୍ଗିର ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାଗଭୂଷଣ ବୈଠକର ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ସହ ତା ୨୦ ଜୁନ ରଥଯାତ୍ରା ଠାରୁ ତା ୨୮ ଜୁନ ବାହୁଡା ଯାତ୍ରା ପର୍ଯ୍ୟନ୍ତ ବଲାଙ୍ଗିର ଠାରେ ସମସ୍ତ ରୀତିନୀତି ଓ କାର୍ଯ୍ୟକ୍ରମ ଗୁଡିକ ଶାନ୍ତି ଶୃଙ୍ଖଳା ଓ ସୁଚାରୁରୂପେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଚଳିତ ବର୍ଷ ଶ୍ରୀ ଗୋପାଳଜୀ ମନ୍ଦିର ପାଇଁ ଏକ ନୂତନ ରଥ ତିଆରି ସକାଶେ ଆଲୋଚନା କରାଯାଇ ଏଥି ନିମନ୍ତେ ଆବଶ୍ୟକ କାଠର ବ୍ୟବସ୍ଥା କରିବାକୁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏତଦବ୍ୟତୀତ ସାହାଣୀ ମନ୍ଦିର, ଜଗନ୍ନାଥ ମନ୍ଦିର, ରାଜବାଟୀ ମନ୍ଦିର ଓ ଚାନ୍ଦ ମନ୍ଦିର ରଥର ମରାମତି କାର୍ଯ୍ୟ କରିବାକୁ ମନ୍ଦିର କମିଟି କର୍ମକର୍ତ୍ତାଙ୍କୁ ଅନୁରୋଧ କରାଯାଇଥିଲା ।
ବୈଠକରେ ଶ୍ରୀ ଗୋପାଳଜୀ ମନ୍ଦିର, ସାହାଣୀ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ରାଜବାଟୀ ମନ୍ଦିର ଓ ଚାନ୍ଦ ମନ୍ଦିର ରଥ ଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ପହଣ୍ଡି ନିମନ୍ତେ ସମୟ ନିର୍ଘଣ୍ଟ ସହ ରଥ ଯାଉଥିବା ରାସ୍ତା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ରଥଯାତ୍ରା ଓ ବାହୁଡା ଯାତ୍ରା ଦିନ ରଥ ଯାଉଥିବା ରାସ୍ତା ମାନଙ୍କରେ ବିଜୁଳି ତାର, ଟେଲିଫୋନ ତାର ଓ କେବୁଲ ଯେପରି ବାଧା ନହେବ ସେଥିପ୍ରତି ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସହରର ସମସ୍ତ ରାସ୍ତାଘାଟକୁ ପରିଷ୍କାର ରଖିବା ସହ ରଥ ଯାଉଥିବା ରାସ୍ତା ମାନଙ୍କରେ ଖାଲ ଢିପ ଗୁଡିକୁ ଯଥାଶୀଘ୍ର ମରାମତି କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସହରର ମୁଖ୍ୟ ରାସ୍ତା ମାନଙ୍କରେ ଥିବା ଅଚଳ ମରକ୍ୟୁରୀ ଲାଇଟ ର ମରାମତି କରି ସଚଳ କରିବା ଏବଂ ସମସ୍ତ ମନ୍ଦିର ମାନଙ୍କର ପରିସରକୁ ସଫା ସୁତୁରା, ବ୍ଲିଚିଂ ପାଉଡର ଏବଂ ଫିନାଇଲ ସିଂଚନର ବ୍ୟବସ୍ଥା କରିବାକୁ ବଲାଙ୍ଗିର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦ ବ୍ୟତୀତ ଯାତ୍ରା ସମୟରେ ମନ୍ଦିର ଗୁଡିକରେ ପାନୀୟ ଜଳ ଯୋଗାଣ, ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା, ରଥ ଯାତ୍ରା ଓ ବାହୁଡା ଯାତ୍ରାର ଧାରା ବିବରଣୀ, ଭଜନ ସନ୍ଧ୍ୟା ଆୟୋଜନ, ଅଗ୍ନିଶମ ସେବା, ଆଶୁ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ରଥଯାତ୍ରା ଓ ବାହୁଡାଯାତ୍ରା ଦିନ ରଥ ପରିଚାଳନା ନିମନ୍ତେ ମନ୍ଦିର କମିଟି ଓ ବିଭିନ୍ନ ସରକାରୀ ଅଧିକାରୀ ମାନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ବୈଠକରେ ଆଠଗାଁ ଜଗନ୍ନାଥ ମନ୍ଦିର ରଥଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକ ଶେଷରେ ବଲାଙ୍ଗିର ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାଗଭୂଷଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।